ମାତ୍ର ୧୦ ହଜାର ଟଙ୍କାରେ ମହିଳାଙ୍କୁ ଲକ୍ଷପତି ଦିଦି କରିଛନ୍ତି ମୋହନ । ଏକ ବର୍ଷ ଭିତରେ ସୁଭଦ୍ରା ଯୋଜନା ମାଧ୍ୟମରେ ୧୬ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ହୋଇଛନ୍ତି ଲକ୍ଷପତି ଦିଦି । ଏଭଳି କିଛି ବଡ ବୟାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାର ଭିିଡିଓ ଏବେ ଭାଇରାଲ ହେଉଛି । ତେବେ ସୁଭଦ୍ରା ଯୋଜନା ମାଧ୍ୟମରେ ଦୁଇଟି କିସ୍ତିରେ ରାଜ୍ୟର ଏକ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମୋହନ ସରକାର ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ସତ । କିନ୍ତୁ ଏଥିପାଇଁ ମହିଳାଙ୍କୁ ନାହିଁନଥିବା ହଇରାଣ ହେବାକୁ ପଡିଛି । ଏପରିକି ଅନେକ ମହିଳା ରହିଛନ୍ତି ଯେଉଁମାନେ ଏବେ ବି ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି । ଏବଂ ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି ସେମାନଙ୍କୁ ଏତିକି ଟଙ୍କା ପର୍ଯ୍ୟାପ୍ତ ନଥିବା ମତପ୍ରକାଶ ପାଇଛି । ଦୁଇ ବର୍ଷକୁ ୫୦ ହଜାର ବଦଳରେ ୫ ବର୍ଷକୁ ୫୦ ହଜାର ଦେବା ନେଇ ସରକାର ଘୋଷଣା କରିଛନ୍ତି । ତଥାପି ଏତେ କମ୍ ସମୟ ମଧ୍ୟରେ ସରକାର ୧୬ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଲକ୍ଷପତି ଦିଦି କରିଥିବା କଥାକୁ ସାଧାରଣରେ ବିଶ୍ୱାସ କରାଯାଉନାହିଁ ।
ତେବେ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷପତି ଦିଦି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ କିପରି ୧୬ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ଲକ୍ଷପତି ଦିଦି ହୋଇଛନ୍ତି ସେନେଇ ବଡ ବଡ ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେଇ କୁଆଡେ ରାଜ୍ୟର ମହିଳାଙ୍କୁ ଲକ୍ଷପତି ଦିଦି କରି ଏକ ମାଇଲ ଖୁଣ୍ଟ ଛିଡା କରିଛନ୍ତି ମୋହନ । କିନ୍ତୁ ଏହା ଶତ ପ୍ରତିଶତ ମିଛ ବୋଲି ବିରୋଧୀ ମଧ୍ୟ ଅଭିଯୋଗ କରିଥିଲେ । ଯେଉଁ ମହିଳାଙ୍କୁ ନବୀନ ଲକ୍ଷପତି କରିଥିଲେ ସେମାନଙ୍କୁ ଧରି ମିଛର ପ୍ରଚାର ପ୍ରସାର ମୋହନ କରୁଥିବା ଅଭିଯୋଗ ଆଣଥିଲେ ।
ଅନ୍ୟପଟେ ରାଜ୍ୟରେ ଏବେ ମହିଳାଙ୍କ ସ୍ଥିତି ଯେପରି ଅଛି. ଘରୁ ବାହାରିବାକୁ ବି ସେମାନଙ୍କୁ ଭାବିବାକୁ ପଡୁଛି । କାଯ୍ୟରତ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ଛୁଆମାନେ ବି ଘର ଦାଣ୍ଡରୁ କୁଆଡେ ଗାଏବ ହୋଇଯାଉଛନ୍ତି । ଏମାନଙ୍କୁ ସୁରକ୍ଷା କିପରି ଦିଆଯିବ, ସେ ଦିଗରେ ସରକାର ହାତ ବାନ୍ଧି ବସିଥିବା ବେଳେ କେବଳ ମିଛ ପ୍ରଚାର ପ୍ରସାର କରୁଥିବା ବିରୋଧୀଙ୍କ ମହଲରୁ ଅଭିଯୋଗ ଆସୁଛି ।