ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନରେ ରାଷ୍ଟ୍ରପତି

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନରେ ରାଷ୍ଟ୍ରପତି

ଭୁବନେଶ୍ବର : ଦୁଇଦିନିଆ ଓଡିଶା ଗସ୍ତ ଅବସରରେ ଆଜି ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ସକାଳ ୯ଟା ୮ ମିନିଟ ସମୟରେ ରାଜଭବନରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ। ଖାଲି ପାଦରେ ବିନ୍ଦୁସାଗର ନିକଟରୁ ଚାଲିଚାଲି ଯାଇଥିଲେ ରାଷ୍ଟ୍ରପତି। ବିନ୍ଦୁସାଗର ଦେଇ ସେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ।ମନ୍ଦିର ପରିସରରେ ଥିବା ସିଦ୍ଧି ବିନାୟକ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ। ତାପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଗର୍ଭଗୃହରେ ଜଳାଭିଷେକ କରିଥିଲେ।

ପରେ ସେ ମା ପାର୍ବତୀଙ୍କୁ ଦର୍ଶନ କରିଥିଲେ। ଏହାପରେ ମନ୍ଦିବେଢ଼ା ପରିକ୍ରମା କରିଥିଲେ। ଶେଷରେ ନନ୍ଦୀଭୃଙ୍ଗୀଙ୍କ ଦର୍ଶନ କରି ସେଠାରୁ ବାହାରିଥିଲେ। ସେପଟେ ମନ୍ଦିର ସମ୍ମୁଖରେ ତାଙ୍କୁ ସ୍ବାଗତ କରିବା ଲାଗି ଆଦିବାସୀ ନୃତ୍ୟ ଓ ବାଦ୍ୟର ଆସର ଜମିଥିଲା। ପୂଜାର୍ଚ୍ଚନା ସ।ରି କିଛି ସମୟ ପାଇଁ ରାଷ୍ଟ୍ରପତି ସେମାନଙ୍କ ପାଖରେ ଅଟକିଥିଲେ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ। ମନ୍ଦିର କାର୍ୟ୍ୟାଳୟ ଓ ଜିଲ୍ଲା  ପ୍ରଶାସନ ପକ୍ଷରୁ ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁଙ୍କୁ ରାଷ୍ଟ୍ରପତିଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନରେ ସହାୟତା କରିଥିଲେ।

ଏହି ସମୟରେ ସେବାୟତଙ୍କ ପକ୍ଷରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଓ କୋରାଖଇ ଭେଟି ଦେଇଥିଲେ ସେବାୟତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି କାର୍ୟ୍ୟକ୍ରମ ସମୟରେ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନିଜେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ବି ଉପସ୍ଥିତ ରହି ସୁରକ୍ଷା ଓ ଆନୁସାଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ।

ତେବେ ଲିଙ୍ଗରାଜ ମନ୍ଦିରରୁ ବାହାରି ରାଷ୍ଟ୍ରପତି ବିମାନବନ୍ଦର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିକେପ୍ଟର ଯୋଗେ କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ର ଗସ୍ତ କରି ଧାନ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିବେ।

author

Related Articles

Leave a Reply

Your email address will not be published. Required fields are marked *