ଅଙ୍ଗନବାଡି କେନ୍ଦ୍ରକୁ ରାସ୍ତା ନାହିଁ;ପାଣି କାଦୁଅରେ ଯାଉଛନ୍ତି ଶିଶୁ

ଅଙ୍ଗନବାଡି କେନ୍ଦ୍ରକୁ ରାସ୍ତା ନାହିଁ;ପାଣି କାଦୁଅରେ ଯାଉଛନ୍ତି ଶିଶୁ

ଛୋଟ ଶିଶୁମାନଙ୍କ ଶିକ୍ଷା ପାଇଁ ସରକାରଙ୍କ ଦ୍ଵାରା ଖୋଲାଯାଇଛି ଅଙ୍ଗନବାଡ଼ି କେନ୍ଦ୍ର।ହେଲେ ସେଠାକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ।ଫଳରେ କୋମଳମତୀ ଶିଶୁମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ହେଲେ ଏଥିପ୍ରତି କେବେ କାହାର ଦୃଷ୍ଟି ପଡୁନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ । ଦୀର୍ଘ ଦିନ ଦାବି ହେବା ପରେ ଏହି ଗ୍ରାମରେ ପ୍ରତାପୁର-ଖ ଅଙ୍ଗନବାଡି କେନ୍ଦ୍ର ପାଇଁ ଗୃହ ନିର୍ମାଣ କରାଯାଇଛି। ପୂର୍ବରୁ ଗ୍ରାମ କୋଠ ଘରେ ଏହି କେନ୍ଦ୍ର ଚାଲିଥିଲା। ଏବେ ନୂତନ କୋଠା ନିର୍ମାଣ ହେବାରୁ ଗତ କିଛି ମାସ ହେଲା ନିଜସ୍ୱ କୋଠାରେ ଅଙ୍ଗନବାଡି କେନ୍ଦ୍ର ଚାଲିଛି।ସୁପରିଚାଳନା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ହେଲେ କେନ୍ଦ୍ରକୁ ଯିବା ପାଇଁ ରାସ୍ତାଟିଏ ନ ଥିବାରୁ ଏହି ବର୍ଷାଦିନେ ନାହିଁ ନଥିବା ସମସ୍ୟା ଦେଖାଦେଇଛି।ଜଣେ ବ୍ୟକ୍ତିଙ୍କ ପଟ୍ଟା ଜମିଦେଇ ପ୍ରତିଦିନ ପିଲାମାନେ କେନ୍ଦ୍ରକୁ ଯିବା ଆସିବା କରୁଛନ୍ତି। ବର୍ଷା ଦିନେ ଆଣ୍ଠୁଏ ପାଣି କାଦୁଅରେ ପଶି ଯିବାକୁ ପଡୁଛି।ଏଭଳି ସ୍ଥିତିରେ ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ରଜୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।ବାଧ୍ୟହୋଇ ଅଭିଭାବକ ମାନେ ନିଜ କାମ ଛାଡ଼ି ପିଲାମାନଙ୍କୁ ପାଣି କାଦୁଅରେ ଟେକି ଟେକି ନେଇ ଛାଡ଼ିବା ଓ ଆଣିବା ଭଳି କାର୍ଯ୍ୟ କରୁଛନ୍ତି। ଅନେକ ଅଭିଭାବକ ପିଲାଙ୍କ ସୁରକ୍ଷା ଦୁଷ୍ଟିରୁ କେନ୍ଦ୍ରକୁ ଛାଡୁନାହାନ୍ତି। ଗତ କିଛିଦିନ ହେଲା ରାସ୍ତା ପାଇଁ କେନ୍ଦ୍ର ମଧ୍ୟ ବନ୍ଦ ରହିଛି। ପ୍ରଥମେ ରାସ୍ତା କଥା ଚିନ୍ତା ନକରି କେଉଁ ପରିସ୍ଥିତିରେ ଏଠାରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଏହି କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ କିମ୍ୱା ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ହୋଇନାହିଁ। ଯାହାକୁ ନେଇ ଗ୍ରାମବାସୀ ତଥା ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।

author

Related Articles

Leave a Reply

Your email address will not be published. Required fields are marked *