ନିଜ ବୟାନ ପାଇଁ ଅଡୁଆରେ ଫସିଲେ ବ୍ରହ୍ମପୁର ଏସପି । ହାଇକୋର୍ଟରୁ ଆସିଲା ନୋଟିସ ଏବେ କାଠଗଡାରେ ଜବାବ ଦେବେ ବ୍ରହ୍ମପୁର ଏସପି । ପୀତବାସ ପଣ୍ଡା ହତ୍ୟା ମାମଲାରେ ନିର୍ବାଚନୀ ମକଦ୍ଦମା ଯୋଡି ହଟହଟା ହୋଇଛନ୍ତି ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ୍ । ହଁ ଦର୍ଶକବନ୍ଧୁ, ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କିଏ ଏବଂ କିପରି ଏହି ହତ୍ୟାକାଣ୍ଡ ଘଟିଥିଲା ସେ ସମ୍ପର୍କରେ ଏକ ଲମ୍ବା ପ୍ରେସ କନଫରେନ୍ସ କରି ସବୁ ଚିଠା ଖୋଲିଥିଲେ ଏସପି ସରବଣା ବିବେକ । କିନ୍ତୁ ଏହି ସମୟରେ ଏକ ବଡ ଭୁଲ୍ କରିଦେଇଥିଲେ ବ୍ରହ୍ମପୁର ଏସପି । କୋର୍ଟରେ ଏକ ମାମଲା ବିଚାରାଧୀନ ଚାଲିଥିବା ବେଳେ ସେହି ମାମଲାକୁ ପୀତବାସ ହତ୍ୟା ମାମଲା ସହିତ ଯୋଡି ସେ ସମ୍ପର୍କରେ କିଛି ତଥ୍ୟ ସାର୍ବଜନୀନ କରିଥିବାରୁ ହାଇକୋର୍ଟ ଏହାକୁ କଡା ନିନ୍ଦା କରିବା ସହିତ ତାଙ୍କୁ ଜବାବ ମାଗିଛନ୍ତି ।
ତେବେ ବ୍ରହ୍ମପୁର ଏସପି ପୀତବାସ ହତ୍ୟା ମାମଲା ସହିତ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲା ସମ୍ପର୍କରେ ବୟାନ ଦେଇଥିଲେ । ବିକ୍ରମ ପଣ୍ଡା ଓ ଶିବଶଙ୍କର ଦାଶଙ୍କ ମଧ୍ୟରେ ଯୋଗାଯୋଗରେ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାରଙ୍କ ବିରୋଧରେ ଶିବଶଙ୍କର ଦାଶଙ୍କ ଘରେ କାମ କରୁଥିବା ଜଣେ ସହାୟକ ପିଟିସନ ଦାଖଲ କରିଥିଲେ । ମାମଲା ପାଇଁ ଆଇନଗତ ଖର୍ଚ୍ଚ ଓ ଆଇନଜୀବୀଙ୍କ ଫି’ ବିକ୍ରମ ପଣ୍ଡା ବହନ କରୁଥିଲେ ବୋଲି ଏସ୍ପି କହିଥିଲେ । ଏବଂ ଏହାକୁ ଲିଙ୍କ କରି ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଥିଲେ ବ୍ରହ୍ମପୁର ଏସପି । କିନ୍ତୁ ନିର୍ବାଚନୀ ମାମଲା କୋର୍ଟରେ ଚାଲିଥିବା ବେଳେ ଜଣେ ପୋଲିସ ଅଧିକାରୀ କିପରି ଏ ସମ୍ପର୍କରେ ଗଣମାଧ୍ୟମରେ ବୟାନ ଦେଲେ ସେନେଇ କାରଣ ଦର୍ଶାଇବା ସହିତ ତାଙ୍କୁ ଲିଖିତ ଜବାବତଲବ କରିଛନ୍ତି ହାଇକୋର୍ଟ । ଏବଂ କାହିଁକି ତାଙ୍କ ବିବୃତ୍ତିକୁ ଅଦାଲତରେ ଅବମାନନା ଭାବେ ଗ୍ରହଣ କରାଯିବନି ସେନେଇ ମଧ୍ୟ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ ।
ଅନ୍ୟପଟେ ଏହି ମାମଲାରେ ଶୁଣାଣି ସମୟରେ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ବିଧାୟକ କେ ଅନୀଲ କୁମାରଙ୍କ ବିରୋଧରେ ପିଟିସନ ଦାଖଲ କରିଥିବା ମନୋଜ କୁମାର ପଣ୍ଡା ନିଜ ସତ୍ୟପାଠରେ ପୋଲିସଙ୍କୁ ନେଇ ଏକ ତଥ୍ୟ ଦର୍ଶାଇଥିଲେ । କିପରି ପୋଲିସ ତାଙ୍କୁ ରେଳ ଷ୍ଟେସନରୁ ସାଧା ପୋଷାକରେ ଆସି ଉଠାଇ ନେଇ ଜୋରଜବରଦସ୍ତ ପୋଲିସ ଗାଡିରେ ବସାଇଥିଲେ । ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଅଟକ ରଖି ସେ କାହିଁକି ବ୍ରହ୍ମପୁର ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ସେନେଇ ପୋଲିସ ତାଙ୍କୁ ପ୍ରଶ୍ନ କରୁଥିଲେ ବୋଲି ନିଜ ସତ୍ୟପାଠରେ ଦାଖଲ କରିଛନ୍ତି ମନୋଜ ପଣ୍ଡା । ତେବେ ବ୍ରହ୍ମପୁର ଏସପିଙ୍କ କୋର୍ଟରେ ବିଚାରାଧୀନ ମାମଲାରେ ବୟାନକୁ ନେଇ ବିରୋଧୀ ବିଜେଡି ମଧ୍ୟ ପୂର୍ବରୁ ପ୍ରଶ୍ନ ଉଠାଇଥିଲା । ଏବଂ ଏ ସମ୍ପର୍କୀତ ଏକ ତଥ୍ୟ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇବା ପରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
