କର୍ଣ୍ଣାଟକର ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଥା ରସିକିଆ ଡିଜିପିଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଅଫିସରେ ଅନ ଡ୍ୟୁଟି ପୋଲିସ ବର୍ଦ୍ଦିରେ ମହିଳାଙ୍କ ସହ ଆପତ୍ତିଜନକ ସ୍ଥିତିରେ ନଜର ଆସିବାକୁ ନେଇ ହରଡଘଣାରେ ପଡିଛନ୍ତି 1993 ବ୍ୟାଚର ଆଇପିଏସ ଅଫିସର ତଥା ନାଗିରକ ଅଧିକାର ଏବଂ ପ୍ରବର୍ତନ ନିର୍ଦ୍ଦେଶାଳୟର ଡିଜିପି କେ ରାମଚନ୍ଦ୍ର ରାଓ । ଏପରି ଅଶ୍ଲୀଳ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ 2025 ମସିହାରେ ନିଜ ସାବତ ଝିଅ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ସୁନାର ଅବୈଧ ଚୋରାଚାଲାଣରେ ଗିରଫ କରିବା ମାମଲାରେ ଚର୍ଚ୍ଚାରେ ରହିଥିଲେ କେ ରାଓ । ଆଉ ଏବେ ଅନ ଡ୍ୟୁଟି ନିଜର ଆପତ୍ତିଜନକ ଭିଡିଓକୁ ନେଇ ବିବାଦ ଘେରରେ ଫସିଛନ୍ତି ।
ତେବେ ସୋମବାର ସୋସିଆଲ ମିଡିଆରେ କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକ ଡ. କେ ରାମଚନ୍ଦ୍ର ରାଓଙ୍କର ଏପରି ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ଅଫିସରେ ବସି ଅନେକ ମହିଳାଙ୍କ ସହ ସେ ଆପତ୍ତିଜନକ ସ୍ଥିତିରେ ରହିଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବା ପରେ ସୋମବାର ସନ୍ଧ୍ୟାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନାଗିରକ ଅଧିକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପୋଲିସ ମହାନିର୍ଦ୍ଦେଶକ ଡକ୍ଟର କେ. ରାମଚନ୍ଦ୍ର ରାଓଙ୍କୁ ନିଲମ୍ବନ କରାଯାଇଛି । ଏବଂ ରାଜ୍ୟ ସରକାରଙ୍କ ଲିଖିତ ଅନୁମତି ବିନା କୌଣସି ପରିସ୍ଥିତିରେ ସେ ମୁଖ୍ୟାଳୟ ଛାଡିପାରିବେନି ବୋଲି କଡା ନିର୍ଦ୍ଦେଶ ରହିଛି । କିନ୍ତୁ ଏହି ଭିଡିଓ ସବୁ ମିଛ, ଏବଂ ନକଲି ବୋଲି କେ ରାଓ ଦାବି କରିଛନ୍ତି । ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଭିଡିଓ ପଛର ସତ୍ୟତା ଉନ୍ମୋଚନ ପାଇଁ ଫରେନସିକ୍ ତଦନ୍ତ ଦାବି କରିଛନ୍ତି। ଏହାର ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଭିଡିଓଟି କେଉଁ ପରିସ୍ଥିତିରେ ରେକର୍ଡ କରାଯାଇଥିଲା ଓ କିଏ ଏହାକୁ ଭାଇରାଲ କରିଥିଲା ତାହାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଅଧିକାରୀ ଯେତେ ବରିଷ୍ଠ ହୁଅନ୍ତୁ ନା କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଏସସି ଏସଟି ବର୍ଗର ଲୋକଙ୍କୁ ନ୍ୟାୟ ଦେବା ପାଇଁ ବଡ ପଦବୀରେ ବସିଥିବା ବ୍ୟକ୍ତି ଏପରି ମହିଳାଙ୍କ ସହ ବ୍ୟବାହର କରିବାକୁ ନେଇ ଚାରିଆଡୁ ତୀବ୍ର ନିନ୍ଦା କରାଯାଉଛି।
