ପୁଣି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗଣମାଧ୍ୟମ ପରେ ସୋସିଆଲ ମିଡିଆରେ ବି ମୋହନ ସରକାରଙ୍କୁ ସମାଲୋଚନା କରିବାର ଗୋଟିଏ ବି ମଉକା ହାତ ଛଡା କରୁନାହାନ୍ତି ନବୀନ । ହଁ ଆଜ୍ଞା, କ୍ଷମତାରୁ ହଟିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶୃତିକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷୁଛନ୍ତି ବିଜେଡି ସଭାପତି । ଆଉ ଏବେ ଭତ୍ତାକୁ ନେଇ ମଧ୍ୟ ମୋହନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ନବୀନ । ପ୍ରତିଶୃତି ନାଁରେ ଲୋକଙ୍କୁ ବିଜେପି ଭୂଆଁ ବୁଲାଉଥିବା କହି ତୀବ୍ର ନିନ୍ଦା କରିଛନ୍ତି । ନିଜ ସୋସିଆଲ ମିଡିଆ ପେଜରେ ଏକ ପୋଷ୍ଟ କରି ନବୀନ ସିଧାସଳଖ ବିଜେପିର ପ୍ରତିଶୃତି ପାଣିର ଗାର ବୋଲି ଆକ୍ଷେପ କରି କହିଛନ୍ତି । ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩,୦୦୦ ତଥା ୩,୫୦୦ ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ। ହେଲେ ବଜେଟରେ କୁହାଯାଉଛି ଯେ କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦% ଅକ୍ଷମତା ଥିବା ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତ୍ତା ପାଇବେ। ୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ। ଏଥିରୁ ପୁରା ସ୍ପଷ୍ଟ ହେଉଛି, ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଭତ୍ତାଧାରୀ ବୟସ୍କ ତଥା ସମସ୍ତ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି। ଏହା ସହ ସାଧାରଣ ଲୋକଙ୍କ ହକ୍ ପାଇଁ ଏବଂ ସେମାନଙ୍କୁ ଜାଗ୍ରତ କରିବା ପାଇଁ ଅଗଷ୍ଟ ୧୬ ତାରଖରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ମଧ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏହା ସହ ବିଜେପି ନିଜ ପ୍ରତିଶୃତି ପୂରଣ ନକରିବା ପର୍ଯ୍ୟନ୍ତ ବିଜେଡି ଏହି ଅଭିଯାନ ଜାରି ରଖିବ ବୋଲି ଘୋଷଣା କରିଛି । ତେବେ ପ୍ରଥମ ଥର ଏକ ଶସକ୍ତ ବିରୋଧୀକୁ ଶାସକ ଦଳ ସାମ୍ନା କରୁଥିବା ବେଳେ ଦେଖାଯାଉ ମୋହନ ସରକାର ଏଥିରୁ କିପରି ନିଜକୁ ରକ୍ଷା କରୁଛନ୍ତି ଏବଂ ନିଜ ନିବାଚନୀ ପ୍ରତିଶୃତି ପାଳନ କରୁଛନ୍ତି ତାହା ଦେଖିବାର କଥା ।
You can share this post!
author