ଆଞ୍ଚଳିକ କମିଟିର ୧୪ ଦଫା ଦାବି

ଆଞ୍ଚଳିକ କମିଟିର ୧୪ ଦଫା ଦାବି

ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ମୋହନା ଓ ରା.ଉଦୟଗିରି ଆଞ୍ଚଳିକ କମିଟି ପକ୍ଷରୁ ଶହ ଶହ ଆଦିବାସୀ ପୁରୁଷ ଓ ମହିଳା ଏକ ବିରାଟ ପଟୁଆରରେ ମୋହନା ମିନି ଷ୍ଟାଡିୟମରୁ ବାହାରି ସହରରେ ନାରାବାଜି କରି ସ୍ଥାନୀୟ ତହସିଲରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତହସିଲଦାରଙ୍କ ଅନୁପସ୍ଥିତିରେ ତହସିଲ ସୁପରଭାଇଜର୍ ମିଖାଇଲ ରାଇକାଙ୍କୁ ଆଦିବାସୀଙ୍କ ହକ୍ ସମ୍ବଳିତ ୫ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଦାବୀ ଗୁଡ଼ିକ ମଧ୍ୟରେ ଭୂମିହୀନଙ୍କୁ ବାସଗୃହ ପଟ୍ଟା ପ୍ରଦାନ,ଦଖଲରେ ଥିବା ରାଜସ୍ଵ ଜମିର ପଟ୍ଟା ମିଳିବା, ଆବେଦନ କରିଥିବା ରାଜସ୍ଵ ଓ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ,ପଟ୍ଟା ପାଇଥିବା ଜଙ୍ଗଲ ଜମିର ଚ଼ୌହଦ ଚିହ୍ନଟ ଓ ଲଖାରି ଅଞ୍ଚଳରେ ରହୁଥିବା ଆଦିବାସୀ ମାନଙ୍କୁ ବାସଗୃହ ପଟ୍ଟା ଯୋଗାଇଦେବା ଦାବି ରହିଥିଲା। ଏହାପରେ ବ୍ଳକ୍ କାର୍ଯ୍ୟାଳୟଠାରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡ଼ିଓ ରମାକାନ୍ତ ଚ଼ୌଧୁରୀଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା, ତିନିଶହ ମାଗଣା ବିଦ୍ୟୁତ୍ , ଚନ୍ଦ୍ରଗିରି ମେଡ଼ିକାଲରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ତିନି ହଜାର ଟଙ୍କା ପ୍ରଦାନ, ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ସହ ସମସ୍ତ ଗ୍ରାମକୁ ପାନୀୟଜଳ, ରାସ୍ତା,ବିଦ୍ୟୁତ୍ ଯୋଗାଇଦେବା ଆଦି ଦାବି ସମୁହ ରହିଥିଲା। ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଦଣ୍ଡପାଣି ରଇତଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ କରାଯାଇଥିବାବେଳେ ଆଦିବାସୀ ନେତା ଗୋକୁଳ ଦଳବେହେରା, ସୁନାମ ମଣ୍ଡଳ, ହୁଷୟ ରଇତ,ସଣ୍ଢୁ ମଣ୍ଡଳ, ତ୍ରିନାଥ ରଇତ,ସୁରେନ୍ଦ୍ର ମଳିକଙ୍କ ସମେତ ପ୍ରାୟ ୧ହଜାରରୁ ଉର୍ଦ୍ଧ୍ଵ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *