ଆନ୍ଦୋଳନରୁ ଓହରିଲେ ହବିଷ୍ୟାଳି । ହବିଷ୍ୟାଳିଙ୍କୁ ସ୍ଥାନାନ୍ତରିତ କଲେ ଜିଲ୍ଲା ପ୍ରଶାସନ । କାର୍ତ୍ତିକ ମାସ ଆରମ୍ଭ ହୋଇଥିବାରୁ ହବିଷ୍ୟାଳିମାନେ ପୁରୀରେ ନିଜ ରହି କାର୍ତ୍ତିକ ମାସ ପାଳନ କରୁଛନ୍ତି । କିନ୍ତୁ ଯେଉଁମାନେ ଅଣ ପଞ୍ଜିକୃତ ସେମାନଙ୍କ ପାଇଁ କିଛି ବି ବ୍ୟବସ୍ଥା କରାଯାଇନଥିଲା । ଯାହାକୁ ନେଇ ଅଣପଞ୍ଜିକୃତ ହବିଷ୍ୟାଳିମାନେ ପୁରୀରେ ରହିବା ନିମନ୍ତେ ଦାବ କରିଥିଲେ । କିନ୍ତୁ ଏଥିରେ ପ୍ରଶାସନ ରାଜି ନହେବାରୁ ଗତକାଲିଠାରୁ ପୁରୀ ବୃନ୍ଦାବତୀ ନିବାସ ଆଗରେ ଶହ ଶହ ଅଣପଞ୍ଜିକୃତ ହବିଷ୍ୟାଳିମାନେ ଆନ୍ଦୋଳନ କରିଥିଲେ । ଏହାରି ଭିତରେ ଆଜି ପୁରୀ ଜିଲ୍ଲାପାଳ ଓ ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ ହବିଷ୍ୟାଳିଙ୍କୁ ଭେଟି ସମସ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯେଉଁ ମାଆମାନେ ଆସିଛନ୍ତି ସମସ୍ତଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବ । ପଞ୍ଜୀକୃତ କରି ଆସି ନ ଥିବା ହବିଷ୍ୟାଳିଙ୍କ ସ୍ଥାନରେ ରହିବେ । ଯଦି ସ୍ଥାନାଭାବ ହୁଏ ତେବେ ଅନ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ତେବେ ସେମାନଙ୍କୁ ପ୍ରାଥମିକ ସ୍ତରରେ ଅସ୍ଥାୟୀ ଭାବେ ବୃନ୍ଦାବତୀ ନିବାସର ବେସମେଣ୍ଟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସମସ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତବ୍ୟ ରଖିଛନ୍ତି ଷଡଙ୍ଗୀ ।