ନିଜ ଦେଶରେ ଟ୍ରମ୍ପକୁ ଲାଗିଲା ବଡ ଝଟକା । ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ଆମେରିକା କୋର୍ଟ । ହଁ ଦର୍ଶକବନ୍ଧୁ, ଆମେରିକା ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ବିଭିନ୍ନ ଦେଶ ଉପରେ ଖାସ କରି ଭାରତ ଉପରେ ଯେଉଁ ଅଧିକାଂଶ ଶୁଳ୍କ ଲାଗୁ କରିଥିଲେ ତାହା ବେଆଇନ ଘୋଷଣା ହୋଇଛି । ଖୋଦ ଆମେରିକା କୋର୍ଟ ଏହାକୁ ବେଆଇନ ଘୋଷଣା କରିଛନ୍ତି । ଆଉ କୋର୍ଟଙ୍କ ଏହି ନିଷ୍ପତ୍ତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୋରଦାର ଝଟକା ଦେଇଛି ।
ତେବେ ଆମେରିକାର ରାଜନୀତି ଏବଂ ଅର୍ଥନୀତିରେ ପରିବର୍ତନ ଆଣି ଶୁକ୍ରବାର ଏକ ଫେଡେରାଲ ଅପିଲ୍ କୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଧିକାଂଶ ଶୁଳ୍କକୁ ବେଆଇନ ଘୋଷଣା କରିଛନ୍ତି । ଫେଡେରାଲ ସର୍କିଟ ପାଇଁ ଆମେରିକାର ଆପିଲ୍ କୋର୍ଟ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ପାଖରେ ଜରୁରୀ କାଳୀନ କ୍ଷମତା ଅଛି । କିନ୍ତୁ ସେଥିରେ ଶୁଳ୍କ କିମ୍ବା ଟିକସ ଲାଗୁ କରିବାର ଅଧିକାର ଅନ୍ତର୍ଭୁକ୍ତ ନାହିଁ । ଏହି ନିଷ୍ପତ୍ତିକୁ ଟ୍ରମ୍ପଙ୍କ ଅର୍ଥନୀତି ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି । ଏହା ସହ ଅକ୍ଟୋବର ୧୪ ଯାଏଁ ଶୁଳ୍କ ବଳବତ୍ତର ରଖିବାକୁ ଅନୁମତି ବି ଦିଆଯାଇଛି । ଯାହା ଟ୍ରମ୍ପ ପ୍ରଶାସନକୁ ଏହି ମାମଲାକୁ ସୁପ୍ରିମକୋର୍ଟକୁ ନେବା ପାଇଁ ସୁଯୋଗ ଦେଇଛି ।
ଅନ୍ୟପଟେ କୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ପରେ ଟ୍ରମ୍ପ ନରମି ନଯାଇ କୋର୍ଟଙ୍କ ରାୟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଟ୍ରମ୍ପ ନିଶ୍ଚିତ କରିଛନ୍ତି ଯେ, ଦେଶଗୁଡିକ ଉପରେ ଲାଗୁ ହୋଇଥିବା ସମସ୍ତ ଟାରିଫ୍ ଜାରି ରହିବ । ଏହା ସହ କୋର୍ଟଙ୍କ ନିଷ୍ପତ୍ତି ପକ୍ଷପାତ ପୂର୍ଣ୍ଣ ବୋଲି ଅଭିଯୋଗ କରିଛନ୍ତି । ଯଦି ଟାରିଫ୍ ହଟାଇ ଦିଆଯାଏ ତେବେ ଦେଶର ଅର୍ଥନୀତି ଦୁର୍ବଳ ହେବ ବୋଲି ଟ୍ରମ୍ପ ଯୁକ୍ତି ବାଢିଛନ୍ତି । ଦେଶ ପାଇଁ ଏହା ଏକ ବିପର୍ଯ୍ୟୟ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
