ରାଜନୀତିରେ ହେଉଛି କି ନୂତନ ସୂର୍ଯ୍ୟୋଦୟ ? ନୂଆ ନେତାଙ୍କ ସଭାରେ ଆଖି ପାଉନି ଭିଡ । ରାଜନୀତିରେ ପାଦ ଦେଉ ଦେଉ ଭାଙ୍ଗିଲେଣି ସବୁ ରେକର୍ଡ । ରାଜନୀତିରେ ତଥା ଶାସନ ଗାଦିରେ ଦଶନ୍ଧି ଦଶନ୍ଧି ଧରି ବସିବା ପରେ ବି ଯେଉଁଠି ରାଜନୈତିକ ଦଳ ଗୁଡିକ ଲୋକଙ୍କୁ ଭଡାରେ ଆଣି ସଭା କାର୍ଯ୍ୟକ୍ରମ କରୁଛନ୍ତି ସେଠାରେ ରାଜନୀତିରେ ଜଣେ ନୂଆ ଚେହେରାଙ୍କ ପାଇଁ ଭିଡ ଦେଖି ସମସ୍ତଙ୍କ ହୋସ୍ ଉଡିଗଲାଣି । ଯାହାକୁ ନେଇ ରାଜନୀତିରେ ନୂତନ ସୂର୍ଯ୍ୟୋଦୟ ହେଉଥିବା ଚର୍ଚ୍ଚା ବଢିଲାଣି ।
ତେବେ ସାଉଥ ସୁପରଷ୍ଟାର ବିଜୟ ଥାଲାପତି ୨୦୨୪ ଫେବୃଆରୀ ମାସରେ ସିନେମାରୁ ଅବସର ନେଇ ରାଜନୀତିରେ ଏଣ୍ଟ୍ରି କରିଥିଲେ । ନିଜ ରାଜନୈତିକ ଦଳ ତାମିଲିଗା ଭେଟ୍ରି କାଝଗମ୍ ର ଶୁଭାରମ୍ଭ କରିଥିଲେ । ପରେ ୨୦୨୪ ଅକ୍ଟୋବର ୨୭ ତାରିଖରେ ଏକ ବିରାଟ ସଭା ମାଧ୍ୟମରେ ନିଜର ପଲିଟିକାଲ ଡେବ୍ୟୁ କରିଥିଲେ ବିଜୟ । ବିଜୟଙ୍କ ଏହି ବିଶାଳ ସଭାରେ ଲୋକଙ୍କର ଯେଉଁ ଭିଡ ପରିଲକ୍ଷିତ ହୋଇଥିଲା ସେଥିରୁ ଅନ୍ୟ ରାଜନୈତିକଦଳର ହୋସ ଉଡିଯାଇଥିଲା । ଲୋକଙ୍କ ଭରପୁର ସମର୍ଥନ ବିଜୟଙ୍କୁ ମିଳିଥିଲା । ବିଜୟଙ୍କୁ ଦେଖିବା ପାଇଁ ଲକ୍ଷଲକ୍ଷ ଲୋକଙ୍କ ଭିଡ ଜମିଥିଲା । ଯାହା ତାଙ୍କୁ ରାଜନୀତିରେ ଏବେ ଠୁ ହିଁ ସଫଳତା ଦେଉଥିବା ସ୍ପଷ୍ଟ ପ୍ରମାଣିତ ହେଉଛି ।
ରାଜନୀତିରେ ଏଣ୍ଟ୍ରି କରୁ କରୁ ବିଜୟ ବିଜେପି ବିରୋଧରେ ସ୍ୱର ଉଠାଇଥିଲେ । କେନ୍ଦ୍ର ସରକାରଙ୍କ ୱାନ ନେସନ ଏବଂ ୱାନ ଇଲେକ୍ସନ ନୀତିକୁ ବିରୋଧ କରିଥିଲେ । ଏହା ସହ ଡିଏମକେକୁ ବି ନିଜ ଟାର୍ଗେଟରେ ରଖିଥିଲେ ବିଜୟ । ଯେଉଁଥିରୁ ବିଜୟ ବିଜେପି କିମ୍ବା ଅନ୍ୟ ଦଳ ସହ ହାତ ନମିଶାଇବା ସହ ଏକାକୀ ଚାଲିବା ନେଇ ଆଶଙ୍କା କରାଯାଉଛି । ଆଉ ଏବେ ବିଜୟ ନିଜ ଦଳର ପ୍ରଚାର ପ୍ରସାର କରିବା ଆରମ୍ଭ କରିସାରିଲେଣି । ନିକଟରେ ମଦୁରାଇରେ ବିଜୟ ଏକ ବିରାଟ ରାଲି କରିଥିଲେ । ଯେଉଁ ରାଲିରେ ଲୋକଙ୍କ ଭିଡ ବିଜୟଙ୍କ ପାଇଁ ଥିବା ତାଙ୍କ ସମର୍ଥନକୁ ସ୍ପଷ୍ଟ ରୂପେ ଦର୍ଶାଇଛି । ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିଜୟଙ୍କ ଦଳ ଅନ୍ୟ ଦଳ ଉପରେ ଭାରି ପଡିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି ।
