ଆହୁରି ୩ ହଜାର ମହଙ୍ଗା ହୋଇପାରେ ସୁନା

ଆହୁରି ୩ ହଜାର ମହଙ୍ଗା ହୋଇପାରେ ସୁନା

ଇସ୍ରାଏଲ ଏବଂ ପାଲେଷ୍ଟାଇନର ହମାସ ସଂଗଠନ ମଧ୍ୟରେ ଚାଲିଥିବା ଲଢ଼େଇର ପ୍ରଭାବ ସୁନା ବଜାର ଉପରେ ପୂର୍ବରୁ ପଡ଼ିସାରିଛି। ଇତିମଧ୍ୟରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭୪ ଟଙ୍କା ବୃଦ୍ଧି ପାଇ ୫୭୪୧୫ ଟଙ୍କାରେ ପହଞ୍ଚିଛି। ଆଗକୁ ଏହାର ଦାମ୍ରେ ଆହୁରି ୩୦୦୦ ଟଙ୍କା ବୃଦ୍ଧି ହୋଇପାରେ। ସୁନା ଦାମ ବଢ଼ୁଥିବାରୁ ଭାରତରେ ଗ୍ରାହକମାନେ ସେମାନଙ୍କ ନିକଟରେ ରଖିଥିବା ସୁନାକୁ ପାର୍ବଣ ପୂର୍ବରୁ ବଜାରରେ ବିକ୍ରି କରିବେ ବୋଲି ସୋ’ରୁମ୍ ଗୁଡ଼ିକ ମତ ଦେଇଛନ୍ତି।

ପୁରୁଣା ସୁନାକୁ ବିକ୍ରି କରି ଗ୍ରାହକମାନେ ନୂଆ ଗହଣା କିଣିବେ ବୋଲି ସେମାନେ କହିଛନ୍ତି। ପଶ୍ଚିମ ଏସିଆରେ ଯଦି ଏହି ସଂଘର୍ଷ ଦୀର୍ଘଦିନ ଧରି ଜାରି ରହେ ତାହେଲେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨୫୦୦ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର ଏମ୍ଡି ତଥା ସିଇଓ ଶୁଭଙ୍କର ସେନ୍ କହିଛନ୍ତି, ସୁନା ମୂଲ୍ୟ ବଢ଼ୁଥିବାରୁ ଗତବର୍ଷ ପାର୍ବଣ ଋତୁ ତୁଳନାରେ ଚଳିତବର୍ଷ ଗ୍ରାହକମାନେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ସୁନା ବଦଳାଇବେ। ସେ କହିଛନ୍ତି ତାଙ୍କ କମ୍ପାନିରେ ସହରାଞ୍ଚଳରେ ଗ୍ରାହକମାନେ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ପୁରୁଣା ସୁନା ବଦଳାଇଥାନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଉକ୍ତ ପ୍ରତିଶତ ୩୦ରୁ ୩୫ ପ୍ରତିଶତ। ଗ୍ରାମାଞ୍ଚଳରେ ଲୋକଙ୍କ ନିକଟରେ ନଗଦ ଅର୍ଥ କମ୍ ଥିବା କାରଣରୁ ସେମାନେ ପୁରୁଣା ସୁନାକୁ ବଦଳାଇ ନୂଆ ସୁନା କିଣିଥାନ୍ତି ବୋଲି ସେ କହିଛନ୍ତି।

ତନିସ୍କର ମୋଟ ବ୍ୟବସାୟରେ ଗୋଲ୍ଡ ଏକ୍ସଚେଞ୍ଜର ଅଂଶ ୪୧ ପ୍ରତିଶତ ଥିଲା। ଚଳିତବର୍ଷ ସେମାନେ ଏହାକୁ ୪୫ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କମ୍ପାନିର ସିଇଓ ଅଜୟ ଚାୱଲ କହିଛନ୍ତି। ଏକ୍ସଚେଞ୍ଜ ବ୍ୟବସାୟ ବୃଦ୍ଧି ଦ୍ବାରା ସୁନା ଆମଦାନି ହ୍ରାସରେ ସହାୟକ ହୋଇଥାଏ। ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର କହିବା ଅନୁଯାୟୀ ଗତ ଆର୍ଥିକବର୍ଷରେ କମ୍ପାନିର ମୋଟ ବ୍ୟବସାୟରେ ଗୋଲ୍ଡ ଏକ୍ସଚେଞ୍ଜର ଯୋଗଦାନ ୩୬ ପ୍ରତିଶତ ଥିଲା। ଚଳିତବର୍ଷ ମଧ୍ୟ ଏହା ସମାନ ସ୍ତରରେ ରହିବ ବୋଲି କମ୍ପାନି ଆଶାବ୍ୟକ୍ତ କରିଛି। ହମାସ ଓ ଇସ୍ରାଏଲ ଯୁଦ୍ଧ ଦ୍ବାରା ବଜାରରେ ସୃଷ୍ଟି ହୋଇଥିବା ଅନିଶ୍ଚିତତା କାରଣରୁ ଅନେକ ନିବେଶକ ଇକ୍ବିଟି ପରିବର୍ତ୍ତେ ସୁନାରେ ନିବେଶ କରିବାକୁ ଅଧିକ ପସନ୍ଦ କରିବେ। ଏଥିଯୋଗୁ ସୁନା ଚାହିଦା ଓ ମୂଲ୍ୟ ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ତେବେ ହୀରା ବ୍ୟବସାୟ ଉପରେ ପଶ୍ଚିମ ଏସିଆ ସମସ୍ୟା କେତେମାତ୍ରାରେ ପଡ଼ିବ ତାହା ଏବେଠାରୁ କୁହାଯାଇ ପାରିବ ନାହିଁ ବୋଲି ଜେମ୍ ଆଣ୍ଡ୍ ଜୁଏଲାରି ରପ୍ତାନି ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ବିପୁଲ ଶାହ କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *