ଏଥର ବିଜେପି-ବିଜେଡି ଟାର୍ଗେଟରେ ନୂଆ ମତଦାତା !

ଏଥର ବିଜେପି-ବିଜେଡି ଟାର୍ଗେଟରେ ନୂଆ ମତଦାତା !

ନିର୍ବାଚନୀ ବର୍ଷରେ ବିଜେପି ବିଜେଡିଙ୍କ ନୂଆ ରଣନୀତି । ନୂଆ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଆଉ ଏକ ନିର୍ବାଚନୀ ଚାଲ ଚଳାଇଛନ୍ତି ଉଭୟ ଦଳ । ରାଜ୍ୟରେ ନୂଆ ଭୋଟରଙ୍କ ଲିଷ୍ଟ ବାହାରିବା ପରେ ସେମାନଙ୍କୁ ନିଜ ପକେଟକୁ ଆଣିବା ପାଇଁ ବିଜେଡି ବିଜେପି ମଧ୍ୟରେ ଫାଇଟ୍ ଆରମ୍ଭ ହୋଇଗଲାଣି । ଗୋଟିଏ ପଟେ ବିଜେଡି କଲେଜ ଷ୍ଟୁଡେଣ୍ଟ ମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ସ୍କିମ କରୁଥିବା ବେଳେ ଏପଟେ ବିଜେପି ବି ନୂଆ ମତଦାତାଙ୍କୁ ଫୋକସରେ ରଖିଛି । ଆସନ୍ତା ଜାନୁୟାରୀ ୨୫ରେ ରାଜ୍ୟର ୨୫୦ଟି ସ୍ଥାନରେ ବିଜେପି ନବ ମତଦାତା ସମ୍ମିଳନୀ କରିବାକୁ ନିଷ୍ପତ୍ତି ନେଇଛି । ସାରା ଦେଶରେ ୫ ହଜାର ସ୍ଥାନରେ ନୂଆ ମତଦାତା ସମ୍ମିଳନୀ କରିବାକୁ ପ୍ରସ୍ତୁତି କରୁଛି ବିଜେପି । ଓଡିଶାରେ ଯୁବ ବର୍ଗଙ୍କୁ ନେଇ ଥିବା ସମସ୍ୟାକୁ ମୁଖ୍ୟ ମୁଦ୍ଦା କରି ସେମାନଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିବ ବିଜେପି । ଏପରିକି ସମ୍ମିଳନୀରେ ନିଜେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଡି ହୋଇ ନୂଆ ଭୋଟରଙ୍କୁ ଉଦବୋଧନ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ପ୍ରତି ସମ୍ମିଳନୀରେ ଏକ ହଜାରରୁ ଅଧିକ ନୂଆ ଭୋଟରଙ୍କୁ ସାମିଲ କରିବାକୁ ଷ୍ଟ୍ରାଟେଜି କରିଛି ଦଳ ।

ଅନ୍ୟପଟେ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକ୍ରମ କରି ନୂଆ ଭୋଟରଙ୍କ ସହ ଯୋଡି ହୋଇ ରହିବାକୁ ଚେଷ୍ଟା ଜାରି କରିଛି ବିଜେଡି । ନୂଆ –ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କଲେଜ ଓ ବିଶ୍ୱ ବିଦ୍ୟାଳୟକୁ ଅନୁଦାନ ଦେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରଖିଛି । ଏବେ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କୁ ବିଜେଡି ପ୍ରତି ଢଳିବା ପାଇଁ ଆଉ ଏକ ରୋଡ୍ ମ୍ୟାପ ପ୍ରସ୍ତୁତ କରିଛି ଦଳ । କଲେଜ ଷ୍ଟୁଡେଣ୍ଟ ଙ୍କ ମଧ୍ୟରେ ଡିଜିଟାଲ ପ୍ରତିଯୋଗୀତା କରିବାକୁ ଯୋଜନା କରିଛି ବିଜେଡି । ନୂଆ-ଓ ବା ଆମ ଓଡିଶା ନବୀନ ଓଡିଶା , ଓଡିଶା ରୂପାନ୍ତୀକରଣ ଥିମରେ ଛାତ୍ରଛାତ୍ରୀ ରିଲ୍ସ ଆଉ ସର୍ଟ ଭିଡିଓ କରିବେ । ଏଥିପାଇଁ ସରକାର ଅର୍ଥରାଶି ପୁରସ୍କାର ଦେବେ ବୋଲି ଦଳ ଘୋଷଣା କରିଛି । ତେବେ ଅଧିକାଂଶ ଛାତ୍ରଛାତ୍ରୀ ରିଲ୍ସ ଏବଂ ସର୍ଟ ଭିଡିଓ କରୁଥିବା ବେଳେ ବିଜେଡିର ଏହି ଫର୍ମୁଲା ନୂଆ ଭୋଟରଙ୍କୁ ବେଶ୍ ଆକୃଷ୍ଟ କରିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ଅନେକ ସ୍ଥାନରେ ନୂଆ-ଓ କାର୍ଯ୍ୟକ୍ରମକୁ ବିରୋଧ କରାଯାଉଥିବାର ଦେଖିବାକୁ ମିଳିଛି ।

ତେବେ ନୂଆ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ ଦଳ ଜୋରଦାର କସରତ କରୁଥିବା ବେଳେ ବିଜେଡି-ବିଜେପି କାହାର ଷ୍ଟ୍ରାଟେଜୀ ଆଗକୁ ସଫଳ ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

author

Related Articles

Leave a Reply

Your email address will not be published. Required fields are marked *