ଏଥର ଧାମନଗରରେ ହେବ ହାଇଭୋଲଟେଜ ଲଢେଇ

ଏଥର ଧାମନଗରରେ ହେବ ହାଇଭୋଲଟେଜ ଲଢେଇ

ଭଦ୍ରକ ଜିଲ୍ଲାର ସବୁଠୁ ଚର୍ଚ୍ଚତ ନିର୍ବାଚନ ମଣ୍ଡଳୀ ହେଉଛି ଧାମନଗର । ନିର୍ବାଚନ ଆସିଲେ ଏହି ଆସନରୁ କିଏ କିଏ ପ୍ରାର୍ଥୀ ହେବେ ସେଥିପାଇଁ ଚାହିଁ ରହିଥାନ୍ତି ଭୋଟର । ଆଉ ଏଥର ବି ଏହି ଆସନରେ ପ୍ରାର୍ଥୀ ହୋଇଥିବା ନେତାଙ୍କୁ ନେଇ ରାଜନୀତିର ମାହୋଲ ସରଗରମ ରହିଛି । କାରଣ ଏହି ଆସନରେ ଏଥର ୩ ଦଳର ଯୁବ ନେତାମାନେ ପ୍ରାର୍ଥୀ ହୋଇଛନ୍ତି । ଉଚ୍ଚଶିକ୍ଷିତ ହେବା ସହ ସମାଜ ସେବା କରିବାକୁ ଆଗକୁ ଆସିଛନ୍ତି ଏହି ୩ ଯୁବନେତା । ଏହି ଆସନରେ ବିଜେଡି ଏବଂ କଂଗ୍ରେସ ନୂଆ ମୁହଁ ଦେଇଥିବା ବେଳେ ବିଜେପି କିନ୍ତୁ ସୂରଜ ସୂର୍ଯ୍ୟବଂଶୀ ଙ୍କୁ ରିପିଟ୍ କରିଛି । ତେବେ ସୂରଜ ବିଟେକ କରିଥିବା ବେଳେ ବିଜେଡିରୁ ନବାଗତ ପ୍ରାର୍ଥୀ ହୋଇଥିବା ସଞ୍ଜୟ ସାହୁ ଏମବିବିଏସ ଡାକ୍ତର । ଏପଟେ କଂଗ୍ରେସର ଯୁବ ନେତା ରଞ୍ଜନ ବେହେରା ମଧ୍ୟ ଏମବିଏ ଡିଗ୍ରୀଧାରୀ । ତେବେ ତିନି ଦଳ ଯୁବ ବ୍ରିଗେଡଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର ଧାମନଗରରେ ପାଠୁଆ ନେତାଙ୍କ ହାଇଭୋଲଟେଜ ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ୨୦୨୨ ଉପନିବାଚନ ବେଳେ ଏହି ଆସନରୁ ପ୍ରାର୍ଥୀ ହୋଇ ସୂରଜ ବିଜୟ ଲାଭ କରିଥିଲେ । ଧାମନଗରରେ ସୂରଜଙ୍କ ବାପା ବିଷ୍ଣୁ ସେଠୀଙ୍କର ଦବଦବା ରହିଆସୁଥିବା ବେଳେ ସେଠାରେ ସୂରଜଙ୍କର ମଧ୍ୟ ପତିଆରା ରହିଛି । ବିଟେକ ପାସ ପରେ ୨୦୧୯ରୁ ସେ ରାଜନୀତିରେ ସକ୍ରିୟ ରହିଛନ୍ତି । ଆଉ ଲୋକଙ୍କ ପାଖକୁ ଯାଇ ନିଜ ସଙ୍ଗଠନକୁ ମଜବୁତ କରିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଏଥର ବି ଦଳ ତାଙ୍କୁ ହିଁ ଧାମନଗରର ଦାୟିତ୍ୱ ଦେଇଛି । ସେପଟେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଡାକ୍ତର ସଞ୍ଜୟ ଦାସ ଡାକ୍ତର ଚାକିରୀ ଛାଡି ରାଜନୀତିରେ ପାଦ ଥାପିଛନ୍ତି । ରୋଗୀ ସେବା କରିବା ସହ ଜନସେବା କରିବାକୁ ମନବଳାଇ ୨୦୨୨ରେ ବିଜେଡିରେ ଯୋଗ ଦେଇଥିଲେ । ଆଉ ଏବେ ବିଧାୟକ ପ୍ରାର୍ଥୀ ହୋଇ ନିଜର ସଙ୍ଗଠନକୁ ଆହୁରି ମଜବୁତ କରୁଛନ୍ତି । ସେପଟେ କଂଗ୍ରେସରୁ ଟିକେଟ୍ ପାଇଥିବା ରଞ୍ଜନ ବେହେରା ବ୍ୟବସାୟ ଚଳାଇଥିବା ବେଳେ ପୂର୍ବରୁ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ । ଆଉ ଏବେ ସେ ବିଧାୟକ ପଦ ପାଇଁ ମଇଦାନରେ । ତେବେ ରାଜ୍ୟ ରାଜନୀତିର ସବୁଠୁ ହାଇପ୍ରୋଫାଇଲ ଆସନ ଧାମନଗରରେ ଏଥର ଯୁବ ନେତାଙ୍କ ମଧ୍ୟରୁ କାହାକୁ ଭରସା କରିବେ ଏବଂ କାହା ମୁଣ୍ଡରେ ସୁନାକଳସ ଢାଳିବେ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *