ପୁଣି ସୁଭଦ୍ରା ଯୋଜନାରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର । 18ହଜାର ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଟଙ୍କା । ରାଜ୍ୟ ସରକାରଙ୍କ ଅନେକ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ଗୋଟିଏ । 24 ସାଧାରଣ ନିର୍ବାଚନରେ ବିଜେପିର ଭୋଟ ବ୍ୟାଙ୍କ ସାଜିଥିଲା ସୁଭଦ୍ରା ଯୋଜନା । ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ୱୀ କରାଇବା ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ମୋହନ ସରକାର । 21ରୁ ଉର୍ଦ୍ଦ୍ୱ ଓ 60ରୁ କମ୍ ମହିଳାମାନଙ୍କୁ ସରକାର ପାଞ୍ଚବର୍ଷରେ 50ହଜାର ଟଙ୍କା ପ୍ରଦାନ କରୁଛନ୍ତି । ଏଯାବତ୍ କୋଟିଏରୁ ଉର୍ଦ୍ଦ୍ୱ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ବେଳେ ପୁଣିଥରେ ସୁଭଦ୍ରା ଯୋଜନାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ଛାତ୍ରୀ । କୌଣସି ଛାତ୍ରୀଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କାର ଛାତ୍ରବୃତ୍ତି ମିଳୁଥିଲେ ସେମାନେ ସୁଭଦ୍ରା ଯୋଜନାରୁ ବାଦ ପଡିବେ । ଏନେଇ ଦୁଇ ବିଭାଗରୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ । ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛି ବିଭାଗ ।
ନିୟମଅନୁଯାୟୀ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ ତେବେ ସେ କ୍ଷେତ୍ରରେ ସଂପୃକ୍ତ ମହିଳା ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ଘୋଷିତ ହେବେ । ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତା’ର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଚିଠି ଲେଖିଛି ବିଭାଗ । ତେବେ ପୂର୍ବରୁ ଯେଉଁମାନଙ୍କ ନାମରେ ଚାରିଚକିଆ ଯାନ ଓ 2ଏକରରୁ ଅଧିକ ଜମିଥିବା ସେମାନେ ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ବେଳେ ପୁଣିଥରେ ସରକାର ନୂଆ ଏକ ପରିବର୍ତ୍ତନ କରିଛନ୍ତି ।
