ଭାରତୀୟ କ୍ରିକେଟରଙ୍କ ପାଇଁ ସ୍ମରଣୀୟ ରହିବ କଟକ ବାରବାଟୀ ଷ୍ଟାଡିୟମ । ବାରବାଟୀ ମାଟିରେ ବିରଳ ରେକର୍ଡ ହାସଲ କରିଛନ୍ତି ଚର୍ଚ୍ଚିତ ଖେଳାଳୀ । ଗତକାଲିର ଟି ଟ୍ୱେଣ୍ଟି ମ୍ୟାଚ ପରେ ଭାରତୀୟ ଟିମ୍ କେବଳ ଏକ ବିଜୟ ହାସଲ କରିନି , କେତେକ ଖେଳାଳୀ ଏହି ମାଟିରେ ନିଜ କ୍ୟାରିୟରର ଗୋଟିଏ ଗୋଟିଏ ମାଇଲଷ୍ଟୋନ ମଧ୍ୟ ଛିଡା କରିଛନ୍ତି । କିଏ ୧୦୦ଟି ଛକା ମାରିବାର ରେକର୍ଡ ସୃଷ୍ଟି କରିଛନ୍ତି ତ ଆଉ କିଏ ୧୦୦ତମ ୱିକେଟ ନେଇ ନୂତନ ଶିଖର ଛୁଇଁଛନ୍ତି । ଯାହା ସେମାନଙ୍କ କ୍ୟାରିୟରରେ ଏକ ନୂତନ ଅଧ୍ୟାୟ ଯୋଡି ଦେଇଛି ।
ତେବେ ଗତକାଲିର ମ୍ୟାଚରେ ହିରୋ ସାଜିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଟି ଟ୍ୱେଣ୍ଟି ଫର୍ମାଟରେ ୧୦୦ଟି ଛକା ମାରିବାର ରେକର୍ଡ ଲିଷ୍ଟରେ ସାମିଲ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଏହି ମାଇଲଷ୍ଟୋନ୍ କରିବାରେ ସେ ହେଉଛନ୍ତି ଚତୁର୍ଥ ଭାରତୀୟ। ତାଙ୍କ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଏହି ରେକର୍ଡ କରିସାରିଛନ୍ତି। ଆଉ ଏବେ ହାର୍ଦ୍ଦିକ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି । ପାଣ୍ଡ୍ୟା ୯୫ଟି ଇନିଂସରେ ୧୦୦ଟି ଛକା ମାରିଛନ୍ତି। ଗତକାଲି ବାରବାଟୀ ଷ୍ଟାଡିୟମରେ ୪ଟି ଛକା ମାରିଥିଲେ ପାଣ୍ଡ୍ୟା। ଏବଂ ବାରବାଟୀରେ ଏହି ୪ଟି ଛକା ତାଙ୍କୁ ଏକ ନୂଆ ପରିଚୟ ଦେଇଛି ।
ସେହିପରି ବୋଲର ଯଶପ୍ରୀତ ବୁମରାଙ୍କ ପାଇଁ ମଧ୍ୟ ବାରବାଟୀ ଷ୍ଟାଡିୟମ ସ୍ମରଣୀୟ ରହିବାର କାରଣ ସାଜିଛି । କାରଣ ବୁମରା ମଧ୍ୟ ଟି ଟ୍ୱେଣ୍ଟି ଫର୍ମାଟରେ ୧୦୦ ୱିକେଟ ନେଇ ଏକ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି । ଗତକାଲି କଟକରେ ୨ ୱିକେଟ ନେଇଥିଲେ ବୁମରା । ଯାହା ତାଙ୍କୁ ଏହି ନୂଆ ରେକର୍ଡ ସୃଷ୍ଟି କରିବାରେ ସାହାଯ୍ୟ କରିଛି । କ୍ରିକେଟ ଇତିହାସରେ ତିନି ଫର୍ମାଟ ଯଥା ଟେଷ୍ଟ, ଦିନିକିଆ ଓ ଟି-୨୦ରେ ୧୦୦ କିମ୍ବା ତା’ଠାରୁ ଅଧିକ ଅନ୍ତର୍ଜାତୀୟ ୱିକେଟ ନେଇଛନ୍ତି । ଏହି ମାଇଲଖୁଣ୍ଟ ଛୁଇଁବାରେ ବୁମ୍ରା ହେଉଛନ୍ତି ଏକମାତ୍ର ଭାରତୀୟ ବୋଲର। ସେହିପରି କ୍ରିକେଟର ତିନୋଟିଯାକ ଫର୍ମାଟରେ ୧୦୦ ୱିକେଟ ନେବାରେ ବୁମ୍ରା ହେଉଛନ୍ତି ପଞ୍ଚମ ବୋଲର। ତାଙ୍କ ପୂର୍ବରୁ ଟିମ୍ ସାଉଦି, ମାଲିଙ୍ଗା, ସାହିନ୍ ଶାହ ଆଫ୍ରିଦି ଓ ସାକିବୁଲ୍ ହାସାନ ଏହି ରେକର୍ଡ କରିଛନ୍ତି।
