ଓଡିଶାରେ ପୁଣି ହେବାକୁ ଯାଉଛି ନିର୍ବାଚନ । ନିଜ ଦଳକୁ ନେଇ ବଡ ନିଷ୍ପତ୍ତି ନେବେ ନବୀନ । କାହାକୁ ଦେବେ ଟିକେଟ ବଢୁଛି ସସପେନ୍ସ । ହଁ ଦର୍ଶକବନ୍ଧୁ, ଖୁବଶୀଘ୍ର ଓଡିଶାରେ ଆଉ ଏକ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୨୦୨୬ ଏପ୍ରିଲ ୨ ତାରିଖରେ ଓଡିଶାରୁ ଖାଲିହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ପୁଣି ଥରେ ବଛା ହେବେ ପ୍ରାର୍ଥୀ । ରାଜ୍ୟସଭା ସାଂସଦ ମୁନ୍ନା ଖାନ, ନିରଞ୍ଜନ ବିଶି, ମମତା ମହନ୍ତଏବଂ ସୁଜିତ୍ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଏପ୍ରିଲ ୨ ତାରିଖରେ ଶେଷ ହେବାକୁ ଯାଉଛି । ତେଣୁ ଏହି ୪ଟି ଆସନରେ ବିଜେଡି କେତୋଟି କବଜା କରିବ ଏବଂ କାହାକୁ କାହାକୁ ଟିକେଟ ଦେବ ସେନେଇ ଏବେଠୁ ଚର୍ଚ୍ଚା ବଢିଲାଣି ।
ତେବେ ମିିଳିଥିବା ସୂଚନା ଅନୁସାରେ, ଖାଲି ହେବାକୁ ଥିବା ୪ଟି ଆସନ ମଧ୍ୟରୁ ବିଜେପି ୨ଟି ଆସନ ଏବଂ ବିଜେଡି ଗୋଟିଏ ଆସନ ଅକ୍ତିଆର କରିବା ନେଇ ଏକ ପ୍ରକାର ନିଶ୍ଚିତ ରହିଛି । ଏବଂ ଚତୁର୍ଥ ଆସନ କିଏ ହାତେଇବ ସେନେଇ କିଛି ସ୍ପଷ୍ଟତା ଆସିନି । ତେଣୁ ସେହି ଗୋଟିଏ ଆସନରେ ବିଜେଡିରୁ କିଏ ରାଜ୍ୟସଭା ଯିବେ ସେନେଇ ଦ୍ୱନ୍ଦ୍ୱ ବଢିଛି । ରେସରେ ସୁଜାତା କାର୍ତ୍ତିକେୟନ ଆଗରେ ଥିବା ବେଳେ ଅନ୍ୟ କାହା ନାଁ ଏଯାଏଁ ଚର୍ଚ୍ଚାକୁ ଆସିନି । ତେଣୁ ନବୀନ ସୁଜାତାଙ୍କୁ ଭରସା କରିବେ ନା ଅନ୍ୟ କାହାକୁ ସପ୍ରାଇଜ ଚେହେରା ଭାବେ ଛିଡା କରିବେ ତାକୁ ନେଇ ଆଲୋଚନା ଚାଲିଛି । କାହିଁକି ନା ରାଜନୀତିରେ ସପ୍ରାଇଜ ଦେବାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାହିର୍ ଅଛନ୍ତି । ନିକଟରେ ନୂଆପଡା ଉପନିବାଚନକୁ ନେଇ ମଧ୍ୟ ରେସରେ ଥିବା ନାଁକୁ ପଛରେ ପକାଇ ସପ୍ରାଇଜ ଚେହେରା ଭାବରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡା ଟିକେଟ ଦେଇଥିଲେ ନବୀନ । ତେଣୁ ରାଜ୍ୟସଭା ପାଇଁ ମଧ୍ୟ ନବୀନ ଯେ, ସପ୍ରାଇଜ ନଦେବେ ତାହା କହିବା ମୁସକିଲ୍ ।
ଅନ୍ୟପଟେ ବିଜେପିର ଦୁଇଟି ଆସନ ପାଇଁ ପ୍ରାର୍ଥୀଙ୍କ ଲମ୍ବା ଲାଇନ ଲାଗିଥିବାରୁ ଚତୁର୍ଥ ଆସନ ବି ବିଜେପି ନିଜ କବଜାକୁ ନେଇପାରେ ବୋଲି କୁହାଯାଉଛି । କିନ୍ତୁ ଏଥିପାଇଁ ପଯ୍ୟାପ୍ତ ଭୋଟ ହେଉନି । ତେଣୁ ଚତୁର୍ଥ ଆସନ ପାଇଁ ଭିଡାଭିଡି ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି । ତେବେ ଦେଖାଯାଉ ବିଜେଡିର ରାଜ୍ୟସଭା ପ୍ରାର୍ଥୀ କିଏ ହେଉଛି ଏବଂ ବିଜେଡି କେତୋଟି ଆସନ ନିଜ କବଜାକୁ ନେଉଛି ତାହା ଦେଖିବାକୁ ଅପେକ୍ଷା ।
