କେନ୍ଦୁଝର ଜିଲ୍ଲାର ସଦାବଳେ ଚର୍ଚ୍ଚାରେ ରହୁଥିବା ଘସିପୁରା ନିର୍ବାଚନମଣ୍ଡଳୀରେ ପ୍ରତି ନିର୍ବାଚନ ସମୟରେ କୌଣସି ନା କୌଣସି ଘଟଣାକ୍ରମକୁ ନେଇ ଚର୍ଚ୍ଚା ଜୋର ଲାଗିରହିଥାଏ । ଚଳିତ ନିର୍ବାଚନରେ ଅନୁରୂପ ଭାବେ ବିଜେଡିର ବଦ୍ରିନାରାୟଣ ପାତ୍ର ଓ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାଥମିକ ପର୍ଯ୍ୟାୟର ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ପ୍ରତିଦୃଦ୍ବିତା ଆଶା କରାଯାଉଥିବାବେଳେ ବଦ୍ରି ଓ ସୌମ୍ୟଙ୍କ ଲଢେଇ ନିର୍ବାଚନ
ମହୋଲକୁ ଦ୍ଵିମୁଖୀ ପ୍ରତିଦ୍ଵନ୍ଦିତାରେ ପରିଣତ କରିଛି। ଏଠାରେ ବିଜେପି ପ୍ରାର୍ଥୀ ଭାବେ ଡ.ଶମ୍ଭୁନାଥ ରାଉତ ନିର୍ବାଚନ ପ୍ରତିଦ୍ବଦିତ କରୁଥିବାବେଳେ ବହୁ ସଂଖ୍ୟାରେ ବିଜେପି କର୍ମୀ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସ୍ଵାଧୀନ ପ୍ରାର୍ଥୀ ସୌମ୍ୟଙ୍କୁ ସମର୍ଥନ କରିବା ଓ ନିର୍ବାଚନୀ ସଭାର ନେତୃତ୍ବ ନେବାକୁ ନେଇ ସବୁ ଗହଣରେ ଚର୍ଚ୍ଚା ଜୋର ଧରିଚି lସେହିପରି କଂଗ୍ରେସରୁ ନବାଗତ ସୁବ୍ରତ କୁମାର ଚକ୍ର ପ୍ରାର୍ଥୀ ହୋଇଥିବାବେଳେ ସୌମ୍ୟଙ୍କ ଭାଇ ନିରଞ୍ଜନଙ୍କ ଭିତିରି ବୁଝାମଣାରେ
ଅଧିକାଂଶ କଂଗ୍ରେସ କର୍ମୀ ମଧ୍ୟ ସ୍ବାଧୀନ ପ୍ରାର୍ଥୀଙ୍କ ପଛରେ ରହିଛନ୍ତି। ଏସବୁକୁ ଦେଖିଲେ ବିଜେପି ଓ କଂଗ୍ରେସର ସ୍ଥିତି ଘସିପୁରାରେ ଗୌଣ ହେବାରେ ଲାଗିଛି । ବହୁ ସଂଖ୍ୟାରେ ବିଜେପି ଓ କଂଗ୍ରେସ କର୍ମୀ ମଧ୍ୟ ବଦ୍ରିଙ୍କ ନେତୃତ୍ବକୁ ଆଦରି ବିଜେଡି ବାହିନୀକୁ ଅଧିକ ସୁଦୃଢ କରିବାରେ ଲାଗିଛି। ପ୍ରାୟ ନିର୍ବାଚନରେ ବଦ୍ରି ଓ ନିରଞ୍ଜନଙ୍କ ଲଢେଇକୁ ନେଇ ରୋଚକ ପରିସ୍ଥିତି ସୃଷ୍ଟି କରିଆସୁଥିବାବେଳେ ଚଳିତ ଥର ବଦ୍ରି ଓ ନିରଞ୍ଜନଙ୍କ ଭାଇ ସୌମ୍ୟଙ୍କୁ ନେଇ ସମାନ ପରିସ୍ଥିତି ସୃଷ୍ଟି କରିଛି। ୫ ଥରର ବିଧାୟକ ତଥା ଲଗାତର ତିନି ଥର ଭାବେ ବିଜୟୀ ହୋଇ ବିଜେଡିର ବଦ୍ରି ନାରାୟଣ ନିର୍ବାଚନମଣ୍ଡଳୀରେ ତାଙ୍କ ସ୍ଥିତିକୁ ସୁଦୃଢ କରି ରଖିଛନ୍ତି। ସବୁ ବର୍ଗର ତଥା ମହିଳା, ବୟସ୍କ, ଶିକ୍ଷାବିତ୍,
ବୁଦ୍ଧିଜୀବୀ, ଯୁବ ଗୋଷ୍ଠୀଙ୍କ ନିକଟତର ହୋଇ ସୋମ୍ୟ ନିଜକୁ ଶୀର୍ଷରେ ରଖିବାକୁ ପ୍ରୟାସ କରୁଥିବାବେଳେ ବଦ୍ରି ଯୁବ ପିଢି ତଥା ସବୁ ଦଳର ଜର୍ମୀଙ୍କୁ ସଂଗଠିତ କରି ନିଜର ରଣନୀତିରେ ରହିଛନ୍ତି। ତେବେ ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ରହିଥିବାବେଳେ ଉଭୟ ପ୍ରାର୍ଥୀ ନିଜ ରଣନୀତିର କେତେ ସଫଳତା ହାସଲ କରୁଛନ୍ତି ଦେଖିବାକୁ ବାକି ରହିଛି।