କିଏ ଯିବ ଦିଲ୍ଲୀ ଦରବାର ?

କିଏ ଯିବ ଦିଲ୍ଲୀ ଦରବାର ?

୨୪ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଫେବୃଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଓଡିଶା ସମେତ ୧୫ଟି ରାଜ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟସଭାରେ ଓଡିଶାର ଖାଲି ହେଉଥିବା ୩ ଟି ଆସନ ପାଇଁ ଏହି ନିର୍ବାଚନ ହେବ । ଏଥିପାଇଁ ଫେବୃଆରୀ ୨୭ରେ ଭୋଟ ପଡିବ । ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆଉ ମାତ୍ର ଦୁଇ ମାସ ପରେ ଶେଷ ହୋଇଯିବ । ଏମାନଙ୍କ ସହ ୧୫ଟି ରାଜ୍ୟର ୫୬ ଜଣଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।

ତେବେ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଏହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କାର୍ଯ୍ୟକାଳ ସରୁଥିବା ସାଂସଦ ମାନଙ୍କ ମଧ୍ୟରୁ କେହି ରିପିଟ୍ ହେବାର ସମ୍ଭାବନା କମ୍ ଥିବାରୁ ବିଜେଡି ସୁପ୍ରିମୋ କେଉଁ ନୂଆ ଚେହେରାକୁ ଦିଲ୍ଲୀ ଦରବାର ପଠେଇବେ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ତାରିଖ ଘୋଷଣା ପରେ ସୁରକ୍ଷିତ ଭାବେ ରାଜ୍ୟସଭାକୁ ଯିବା ପାଇଁ ଅନେକ ନେତା ଗୋଡ ଟେକି ବସିଛନ୍ତି । କିନ୍ତୁ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ବେଶ୍ ସତର୍କତାର ସହ ଦଳ ରାଜ୍ୟସଭା ପ୍ରାର୍ଥୀଙ୍କୁ ବାଛିବ ବୋଲି ଏହା ଜଳଜଳ ହେଉଛି । ବିଧାନସଭାରେ ବିଜେଡିର ବିଧାୟକଙ୍କ ସଂଖ୍ୟା ଅନୁସାରେ ୩ ଟି ଯାକ ଆସନ ବିଜେଡି କବଜାକୁ ଆସିବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଛି ।

ଏଥିପାଇଁ ରାଜ୍ୟସଭାକୁ ଯିବାକୁ ଦଳର ଅଧିକାଂଶ ନେତା ଲାଇନରେ ଅଛନ୍ତି । ଯେଉଁଥିରେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ନାଁ ଆଗରେ ରହିଛି । ପାଣ୍ଡିଆନ ରାଜନୀତିରେ ଯୋଗ ଦେଇଥିଲେ ମଧ୍ୟ ନିର୍ବାଚନ ଲଢିବେନି ବୋଲି ନିଜେ ଘୋଷଣା କରିଥିଲେ । ତେଣୁ ସେ ରାଜ୍ୟସଭା ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପଟେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ପିନାକୀ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି ବୋଲି ରାଜନୀତିରେ ଆଲୋଚନା ହେଉଛି । ଏହା ସହ ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ନିର୍ଦ୍ଦେଶକ ଡ. ସଂତୃପ୍ତ ମିଶ୍ରଙ୍କ ନାଁ ଶୁଣିବାକୁ ମିଳୁଛି । ଏପରିକି ସେ ଆଦିତ୍ୟ ବିର୍ଲାରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଛନ୍ତିି । ତେବେ ଅନେକ ନେତା ରାଜ୍ୟସଭାକୁ ସୁରକ୍ଷିତ ନିର୍ବାଚିତ ହେବା ପାଇଁ ଆଶା ରଖିିଥିଲେ ମଧ୍ୟ ଦିଲ୍ଲୀ ଦରବାରକୁ କିଏ ଯିବ ଏବଂ କାହା ମୁଣ୍ଡରେ ନବୀନ ସୁନା କଳସ ଢାଳିବେ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *