ମୁଁ ନୂଆପଡା ମାଟିର ସେବକ । ନୂଆପଡାରେ ମୁଁ ଜିତିଲେ ଗାଁର ବିକାଶ, ଜିଲ୍ଲାର ବିକାଶ, ସମାଜର ଉନ୍ନତି କରିବି । ବାପାଙ୍କ ଅଧୁରା ସ୍ବପ୍ନକୁ ମୁଁ ପୂରଣ କରିବି । ନୂଆପଡାର ବିକାଶ ଡବଲ କରିବି । ଏପରି ଭାଷଣ ବାଜି କରିକରି ଡୋରଟୁ ଡୋର ବୁଲି ବୁଲି, ଏପରିକି ଲୋକଙ୍କ ଆଗରେ କାନ୍ଦି ସହାନୂଭୂତି ଭୋଟ ପାଇ ଶେଷରେ ନୂଆପଡା ଆସନରେ ବାଜି ମାରିଲେ ବିଜେପି ନେତା ଜୟ ଢୋଲକିଆ । କିନ୍ତୁ ଅନ୍ୟ ବିଜେପି ନେତାଙ୍କ ପରି ଜିତିବା ପରେ ପୁରୁଣା କଥା ତଥା ନିଜେ ଦେଇଥିବା ପ୍ରତିଶ୍ରୁତି ବି ଭୁଲିଗଲେ ଜୟ ।
ବିଧାୟକ ହେବା ପରେ କେବଳ ଉତ୍ସବ ମହୋତ୍ସବରେ ମାତିଥିବା ଦେଖିବାକୁ ମିଳୁଛି । ଏପରିକି ନିଜ ଅଞ୍ଚଳରେ ଜଣେ ବିଡିଓଙ୍କୁ ମାଡ ମାରିବା ଘଟଣାରେ ମଧ୍ୟ ବିଧାୟକଙ୍କ ପାଟିରୁ ଆହା ଟିକେ ବାହାରିନି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ବିଡିଓଙ୍କୁ ଭେଟ କରିଥିବା କିମ୍ବା ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିନି । ଯେଉଁଥିରୁ ନୂଆପଡାରେ ଜୟ କିପରି ବିକାଶ କରୁଛନ୍ତି କିପରି ସମାଜର ଉନ୍ନତି କରୁଛନ୍ତି ଏବଂ କିପରି ନୂଆପଡା ମାଟିର ସେବକ ତାହା ଜଳ ଜଳ ଦିଶୁଛି ।
ତେବେ ବିଜେପି ସରକାରରେ ସରକାରୀ ଅଧିକାରୀଙ୍କୁ ମାଡ ମାରିବା ଘଟଣା କୌଣସି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ନିକଟରେ ରାଜନଗର ବିଡିଓଙ୍କୁ ଖୋଦ ବିଜେପି ନେତା ଅଫିସରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାକୁ ଚାପିବାକୁ ସରକାର ସତ ଚେଷ୍ଟା କରିଥିଲେ । କିନ୍ତୁ ଚାରିଆଡୁ ବିରୋଧ କରାଯିବା ପରେ ଖୋଦ ବିଜେପି ନେତା କ୍ଷମା ମାଗିଥିଲେ । ସେହିପରି ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ ମାରିବା ଘଟଣାରେ ବହୁ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କିନ୍ତୁ ବାରମ୍ବାର ଏଭଳି ଘଟଣା କାହିଁକି ଘଟୁଛି ଏବଂ ଓଏଏସ ସଂଘ ପକ୍ଷରୁ କାହିଁକି ଏହି ଘଟଣା ବିରୁଧରେ ସ୍ବର ଉଠୁନି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଅଧିକାରୀଙ୍କୁ ବି ସରକାରରେ ଥିବା ନେତା-କର୍ମୀ ନାଲି ଆଖି ଦେଖାଇ ରଖୁଥିବା ସ୍ପଷ୍ଟ ପ୍ରମାଣିତ ହେଉଛି ।
