ରାଜ୍ୟ ସରକାରଙ୍କ ଅଡୁଆ ବଢାଉଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଥରେ ନୁହେଁ କି ଦୁଇଥର ନୁହେଁ ବରଂ ବାରମ୍ୱାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୋହନ ସରକାରଙ୍କୁ ଅଡୁଆରେ ପକାଉଛନ୍ତି । ନିଜର ବିବାଦୀୟ ମନ୍ତବ୍ୟ ପାଇଁ ନିଜେ ହଟ୍ଟହଟ୍ଟା ହେଉଥିବାବେଳେ ସରକାରଙ୍କୁ ମଧ୍ୟ ଜାଲରେ ଛନ୍ଦୁଛନ୍ତି । ମନ୍ତ୍ରୀଙ୍କ ପାଇଁ ସାଧାରଣ ଜନତା ହନସନ୍ତ ହେଉଥିବା ବେଳେ ମନ୍ତ୍ରୀମଣ୍ଡଳ ମଧ୍ୟ ଏଥିରୁ ବାଦ ପଡିନାହିଁ । ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଖୋଦ ମୁଖ୍ୟମନ୍ତ୍ରୀ ଫସିଗଲେଣି । ଧାନ ବିକ୍ରି, ଆଳୁ ଆମଦାନୀ ବିବାଦ ପରେ କୃଷ୍ଣ ପୁଣି ବଦନାମ ହେଲେଣି । ଜମି କିଣାରେ ଠକେଇ ଅଭିଯୋଗ ପରେ ଅକଳରେ ପଡ଼ିଛନ୍ତି କୃଷ୍ଣ । ଖାଲି ସେତିକି ନୁହେଁ ବରଂ 2024 ସାଧାରଣ ନିର୍ବାଚନରେ ମନ୍ତ୍ରୀ ନିଜ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବା ସାଂଘାତିକ ଅଭିଯୋଗ ମଧ୍ୟ ହୋଇଛି ।
ପ୍ରଥମେ ଆଳୁ ପାଇଁ ସରକାରଙ୍କୁ ଅକଳରେ ପକାଇଥିଲେ ମନ୍ତ୍ରୀ । କହିଥିଲେ ପଶ୍ଚିମବଙ୍ଗରୁ ଆଳୁ ଆସିବ ନାହିଁ ପୁଣି ଏବେ କହୁଛନ୍ତି ଦିଦିଙ୍କଟାରୁ ଆଳୁ ଆସିଲେ ରାଜ୍ୟର ଆବଶ୍ୟକତା ପୂରଣ ହେବ । ଆହୁରି ମଧ୍ୟ କେତେବେଳେ ଉତ୍ତରପ୍ରଦେଶରୁ ଆଳୁ ଆଣିବା ନେଇ ମଧ୍ୟ ମନ୍ତ୍ରୀ ବୟାନ ରଖିଛନ୍ତି । ସେହିପରି ଧାନ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ଦେବାକୁ ଘୋଷଣା କଲେ ସରକାର ପ୍ରଶଂସା ଗୋଟାଇବା ବଦଳରେ ବଦନାମ ମୁଣ୍ଡାଇଲେ । ବିରୋଧିଙ୍କୁ ସମାଲୋଚନା ପାଇଁ ସୁଯୋଗ ଦେଲେ । ସବୁଠାରୁ ବଡ ପ୍ରସଙ୍ଗ ହେଉଛି ମନ୍ତ୍ରୀ ନିଜର ସତ୍ୟପାଠକୁ ନେଇ ମିଥ୍ୟା ତଥ୍ୟ ଦେବା ମନ୍ତ୍ରୀଙ୍କ ଅଡୁଆ ଅଧିକ କରିଛି । ନିକଟରେ ମନ୍ତ୍ରୀ କେଉଁଆଡେ ଗସ୍ତ କରୁଥିବା ସମୟରେ ତାଙ୍କୁ ସାଧାରଣ ଜନତାଙ୍କ କ୍ଷୋଭର ମଧ୍ୟ ସାମ୍ନା କରିବାକୁ ପଡିଥିଲା ।
ତେବେ ବର୍ତ୍ତମାନ ସମୟରେ ପ୍ରଶ୍ନ ଉଠୁଛି କି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ବଢିଥିବା ବେଳେ ବିବାଦୀୟ ମନ୍ତ୍ରୀଙ୍କୁ ବାଦ୍ ଦେଇ ନୂଆ ନେତାଙ୍କୁ ସ୍ଥାନ ମିଳିବ ତେବେ ଏହି ବିବାଦୀୟ ମନ୍ତ୍ରୀଙ୍କ ମଧ୍ୟରେ ଆଗରେ ରହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ତେବେ ସତରେ କଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ? କଠୋର ହେବେ କି ନିର୍ବାଚନ କମିସନ ? କ’ଣ ଆକ୍ସନ୍ ନେବେ ସରକାର ? ତେବେ ଏତେ ଦ୍ୱନ୍ଦ୍ୱ ଓ ପ୍ରଶ୍ନବାଚୀ ମଧ୍ୟରେ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ କେଉଁ ଆଡକୁ ଗତି କରୁଛି ମନ୍ତ୍ରୀଙ୍କ ଭବିଷ୍ୟତ ତାହା ଦେଖିବାର କଥା ।
