ଖରା ସାଙ୍ଗକୁ ବଢୁଛି ମାଟିପାତ୍ରର ଚାହିଦା

ଖରା ସାଙ୍ଗକୁ ବଢୁଛି ମାଟିପାତ୍ରର ଚାହିଦା

ଭୁବନେଶ୍ୱର:

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିନକୁ ଦିନ ତାପମାତ୍ରା ବଢିବା ସାଙ୍ଗକୁ ଲୋକଙ୍କ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି | ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବାକୁ ଅଧିକାଂଶ ଲୋକେ ଥଣ୍ଡାପାଣି ପିଇବାକୁ ପସନ୍ଦ କରୁଛନ୍ତି | ଥଣ୍ଡାପାଣି ପିଇବାକୁ ଘରେ ଘରେ ରହିଛି ଫ୍ରିଜ | ହେଲେ ମାଟି ଗ୍ଲାସରେ ପାଣି ପିଇବା ହେଉ ଅବା ମାଠିଆ ସୁରେଇ ଆଦିରେ ପାଣି ରଖି ପିଇବାର ମହତ୍ତ୍ୱ ସହରବାସୀଙ୍କ ମଧ୍ୟରେ ଏବେବି ବଜାୟ ରହିଛି | ମାଟି ପାତ୍ର କେବଳ ଗରିବ ଲୋକ ନୁହନ୍ତି ବରଂ ଧନୀ ଲୋକଙ୍କ ଘରେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି ଖରାଦିନରେ ମାଟିରେ ତିଆରି ଫିଲଟର, ଗ୍ଲାସ ସମତେ ମାଟିରେ ନିର୍ମିତ ବିଭିନ୍ନ ବାସନ ଚାହିଦା ବଢୁଛି | କେବଳ ଅଫଲାଇନ ନୁହେଁ ଅନଲାଇନରେ ବିକ୍ରି ହେଉଛି ମାଟିରେ ଫିଲଟର, ଗ୍ଲାସ ଆଦି ସାମଗ୍ରୀ | ପୂର୍ବରୁ ଗାଁ ଗହଳିରେ ଲୋକମାନେ ମାଟି ସାମଗ୍ରୀ ବ୍ୟବହାର କରୁଥିଲେ | ରୋଷେଇ ସାମଗ୍ରୀ ଠାରୁ ଆରମ୍ଭ କରି ଧାନ, ଚାଉଳ ଆଦି ମାଟି ପାତ୍ରରେ ରଖୁଥିଲେ | ସେହିପରି ପାଣି ପାତ୍ର ସମତେ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡିକ ମାଟିରେ ପ୍ରସ୍ତୁତ କରାଯାଉଥିଲା | ହେଲେ ବର୍ତ୍ତମାନ ସହରରେ ପୁନର୍ବାର ମାଟି ପାତ୍ରର ବ୍ୟବହାର ଯୋଗୁଁ ମାଟିପାତ୍ର ବ୍ୟବସାୟୀ ପରିବାର ପ୍ରତିପୋଷଣ କରିପାରୁଛନ୍ତି | ଏବେ ଏହା କେବଳ ଏକ ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କ ପାଇଁ କୁଳବେଉସା ହୋଇନାହିଁ, ବରଂ ବିଭିନ୍ନ ବର୍ଗର ଲୋକେ ଏବେ ଏହାକୁ ବୃତ୍ତି ଭାବେ ଆପଣେଇଥିବା ଦେଖିବାକୁ ମିଳିଛି |

ରାଜଧାନୀର ଅନେକ ଲୋକେ ଏହି ବ୍ୟବସାୟକୁ ଆପଣେଇ ନେଇଥିବା ଦେଖିବାକୁ ମିଳିଛି | ମାଟିର ଗ୍ଲାସ ପ୍ଲେଟ, ହାଣ୍ଡି, କଢେଇ ସମତେ ବର୍ତ୍ତମାନ ଖରାଦିନ ହେଉଥିବାରୁ ମାଟିର ଫିଲଟର ଅଧିକ ବିକ୍ରି ହେଉଥିବା ବ୍ୟବସାୟୀ କହିଛନ୍ତି | ମାଟିର ଏକ ମାଠିଆ କିମ୍ବା ଲମ୍ବ ଆକୃତିର ପାତ୍ରରେ ଏକ ଟ୍ୟାପ ଲଗାଯାଇ ଫିଲଟର ତିଆରି କରାଯାଇଛି | ଏହାକୁ ତିଆରି କରିବା ପରେ ନିଆଁରେ ପୋଡାଯାଇଥିବାରୁ ଏଥିରୁ ବାଲି କିମ୍ବା ରଙ୍ଗ ଛାଡି ନ ଥାଏ | ସବୁଠୁ ବଡ଼କଥା ହେଉଛି ଏଥିରେ ପାଣି ରଖିବାର ୩ରୁ ୪ଘଣ୍ଟା ପରେ ପାଣି ଥଣ୍ଡା ହୋଇଥାଏ | ଫ୍ରିଜ ଅପେକ୍ଷା ମାଟିପାତ୍ରରେ ଥିବା ଥଣ୍ଡା ପାଣି ଶରୀର ପାଇଁ ବେଶ ଉପାଦେୟ ହୋଇଥିବାରୁ ଲୋକେ ମାଟିପାତ୍ରର ପାଣି ପିଇବାକୁ ଅଧିକ ପସନ୍ଦ କରୁଛନ୍ତି | ତେବେ ରାଜଧାନୀର ୟୁନିଟ-୩, ପାୱାରହାଉସ ଛକ, ଖଣ୍ଡଗିରି ଆଦି ବିଭିନ୍ନ ରାସ୍ତା କଡରେ ବ୍ୟବସାୟୀମାନେ ଏହି ସାମଗ୍ରୀ ସବୁ ବିକ୍ରି କରୁଥିବାବେଳେ ରାଜଧାନୀ ଉପକଣ୍ଠ ଗାଁଗୁଡ଼ିକରେ କୁମ୍ଭାରମାନେ ବର୍ଷବର୍ଷ ଧରି ମାଟିପାତ୍ର ତିଆରି କରି ବିକ୍ରି କରିଥାନ୍ତି | କିଛି ବ୍ୟବସାୟୀ କୁମ୍ଭାରଙ୍କଠାରୁ ଆଣି ସହରରେ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି | ଖରାଦିନେ ଲସି ଦୋକାନ ଗୁଡିକରେ ମାଟି ଗ୍ଲାସରେ ଲସି ବିକ୍ରି ହେଉଥିବା ବେଳେ ହୋଟେଲ ଗୁଡିକରେ ମାଟି ପାତ୍ରରେ ଖାଦ୍ୟ ପରସାଯାଉଥିବା ଦେଖିବାକୁ ମିଳିଛି | ଏପରିକି ଭୁବନେଶ୍ୱରରୁ ପୁରୀ ଯିବା ରାସ୍ତାରେ ଅଧିକାଂଶ ଚା’ ଦୋକାନରେ ମାଟି ପାତ୍ରରେ ଚା’ ପରସା ଯାଉଥିବା ଦେଖିବାକୁ ମିଳୁଛି | ଏହି ମାଟିପାତ୍ର ସବୁ ଯେ କେବଳ ଅଫଲାଇନ ରେ ମିଳୁଛି ତାହା ନୁହେଁ, ଯୁଗ ସହ ତାଳଦେଇ ମାଟିପାତ୍ର ବି ଅନଲାଇନ ରେ ଉପଲବ୍ଧ ହେଲାଣି | ବିଭିନ୍ନ ଅନଲାଇନ ସଫି ଆପରେ ଏହାର ଉପଲବ୍ଧତା ସମ୍ପର୍କରେ ମଧ୍ୟ ସୂଚନା ମିଳୁପାରୁଛି | ଏପରିକି ଘରବାସୀ ନିଜ ମନ ପସନ୍ଦର ମାଟି ପାତ୍ର ଅନଲାଇନ ମାଧ୍ୟମରେ କିଣିପାରୁଛନ୍ତି ଗ୍ରାହକ | ତେବେ ଅଫଲାଇନ ଅପେକ୍ଷା ଅନଲାଇନରେ ମିଳୁଥିବା ମାଟି ସାମଗ୍ରୀର ଦ୍ୱାରା ଟିକେ ଅଧିକ ହେଲେ ମଧ୍ୟ ସୁବିଧାରେ ମିଳୁ ଥିବାରୁ ଲୋକେ ଏହାକୁ କିଣିବାକୁ ପସନ୍ଦ କରୁଛନ୍ତି ବୋଲି କୁହନ୍ତି ଅନେକ ଗ୍ରାହକ |

author

Related Articles

Leave a Reply

Your email address will not be published. Required fields are marked *