ଡବଲ ଇଞ୍ଜିନ ସରକାରରେ ଡବଲ ଠକାମୀର ଶିକାର ହେଲେ ଚାଷୀ । ୩୧୦୦ ଟଙ୍କାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକିନେଲେ ମୋହନ ସରକାର । ହଁ ଆଜ୍ଞା, ଏପରି କିଛି ଅଭିଯୋଗ ରାଜରାସ୍ତାରେ ଧାରଣାରେ ବସିଥିବା ଚାଷୀ ଆଣିଛନ୍ତି । କିପରି ଧାନ ମଣ୍ଡିରେ ସରକାର ଚାଷୀଙ୍କ ଠାରୁ ଧାନ କିଣି ତାଙ୍କୁ ଟଙ୍କା ଦେଇନାହାନ୍ତି ଏବଂ କୋଟି କୋଟି ଟଙ୍କା ହଡପ କରିଛନ୍ତି ସେନେଇ ଚାଷୀ ଅଭିଯୋଗ କରିଛନ୍ତି ।
ତେବେ ବିଜେପି ସରକାରକୁ ଆସୁ ଆସୁ ଚାଷୀଙ୍କ ବିକାଶ କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିଥିଲେ । ଚାଷୀଙ୍କ ଠାରୁ ମଣ୍ଡି ମାଧ୍ୟମରେ ସରକାର ଧାନ କିଣିବେ ଏବଂ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ କରିବା ନେଇ ଘୋଷଣା ବି କଲେ । କିନ୍ତୁ ଏହି ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ଅନେକ ଚାଷୀ । ଧାନ ବିକ୍ରି କରିବାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବା କଥା । କିନ୍ତୁ ୪ ମାସ ହେବ ତାଙ୍କୁ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘରର ୩୪୪ ଜଣ ଚାଷୀ ୪ କୋଟି ୪୧ ଲକ୍ଷ ୮୨ ହଜାର ୮୨୨ ଟଙ୍କା ପାଇନାହାନ୍ତି । କେବେ ସେମାନେ ଟଙ୍କା ପାଇବେ ? କାହିଁକି ବିଳମ୍ବ ହେଲା ? ଏଥିପାଇଁ ଦାୟୀ କିଏ ? ଏମିତି ପ୍ରଶ୍ନ ଛିଡ଼ା ହୋଇଛି । ୪ ମାସ ହେଲା ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି । ହେଲେ ବିକ୍ରି ଧାନର ଟଙ୍କା ମିଳୁନାହିଁ । ବ୍ଲକରୁ ଜିଲ୍ଲାପାଳଙ୍କ ଅଫିସ ଯାଏଁ ଦୌଡ଼ି ନୟାନ୍ତ ହେବା ପରେ ଚାଷୀ ରାଜଧାନୀକୁ ଆସିଛନ୍ତି । ଆଉ ଚାଷୀଙ୍କ ଏଭଳି ସ୍ଥ୍ିତିରେ ବିଜେଡି ଚାଷୀଙ୍କ ପାଖରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ବିଜେଡି ନେତାମାନେ ଚାଷୀଙ୍କ ସମର୍ଥନରେ ଧାରଣାରେ ବସିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିଥିବା ନଜର ଆସିଛନ୍ତି ।