ଚାହିଦା- ଯୋଗାଣ ଖେଳରେ ଫସିଛି ସ୍ମାର୍ଟଫୋନ ଶିଳ୍ପ

ଚାହିଦା- ଯୋଗାଣ ଖେଳରେ ଫସିଛି ସ୍ମାର୍ଟଫୋନ ଶିଳ୍ପ

ଭୁବନେଶ୍ୱର:

ସାରା ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି | ଏହା ଧୀରେ ଧୀରେ ବ୍ୟାଙ୍କିଙ୍ଗ କ୍ଷେତ୍ରରୁ ଅନ୍ୟ କ୍ଷେତ୍ରଗୁଡିକୁ ମାଡିବାରେ ଲାଗିଛି | ଏହି ଧାରାରେ ଦେଶର ସ୍ମାର୍ଟଫୋନ ଶିଳ୍ପରେ ଏବେ ମାନ୍ଦାବସ୍ଥାର ଆଭାସ ଦେଖିବାକୁ ମିଳିଛି | ଶିଳ୍ପ ସହ ଜଡିତ ଲୋକଙ୍କ କହିବା ଅନୁଯାୟୀ, ଗତ ୬ ମାସ ମଧ୍ୟରେ ଦେଶରେ ସ୍ମାର୍ଟଫୋନ ବିକ୍ରି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି | ଚଳିତବର୍ଷ ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ମୋବାଇଲ ଫୋନ ନିର୍ମାତା ସେମାନଙ୍କର ହ୍ୟାଣ୍ଡସେଟ ଉତ୍ପାଦନରେ ୨୦ ପ୍ରତିଶତ ହ୍ରାସ ଘଟାଇଛନ୍ତି | ପୂର୍ବରୁ ଚାଇନାରେ ସ୍ପଷ୍ଟ ପରିସ୍ଥିତି ଏବଂ କ୍ରମାଗତ ଭାବେ ସେମିକଣ୍ଡକ୍ଟର ଯୋଗାଣରେ ସମସ୍ୟା ଭଳି ଘଟଣା ସ୍ମାର୍ଟଫୋନ ଶିଳ୍ପରେ ଚାହିଦା-ଯୋଗାଣ ଭଳି ସମସ୍ୟା ଉପୁଜାଇଥିଲା | ଏବେ ମାନ୍ଦା ଅର୍ଥନୀତି ମଧ୍ୟରେ ଗ୍ରାହକଙ୍କ ଆଡୁ ଚାହିଦାରେ ହ୍ରାସ ଶିଳ୍ପପାଇଁ ବଡ ସମସ୍ୟା ସୃଷ୍ଟି କରିଛି | ପରିସ୍ଥିତି ଏବେ ଏମିତି ଯେ, ବର୍ତ୍ତମାନ କମ୍ପାନୀଗୁଡ଼ିକ ନିକଟରେ ୧୦ ସପ୍ତାହ ପାଇଁ ହ୍ୟାଣ୍ଡସେଟ ମହଜୁଦ ରହିଛି | କାଉଣ୍ଟରପଏଣ୍ଟର ରିପୋର୍ଟ ଅନୁଯାୟୀ ୨୦୨୨ ଅକ୍ଟୋବର-ଡିସେମ୍ବର ମଧ୍ୟରେ ମୋବାଇଲ ଫୋନ ନିର୍ମାତା ହ୍ୟାଣ୍ଡସେଟ ଉତ୍ପାଦନରେ ୩୦ ପ୍ରତିଶତ ଏବଂ ଚଳିତବର୍ଷ ଜାନୁଆରୀ-ମାର୍ଚ୍ଚରେ ୧୮ ପ୍ରତିଶତ ହ୍ରାସ ଘଟାଇଛନ୍ତି | ଭାରତର ସର୍ବବୃହତ ମୋବାଇଲ ଫୋନର ଖୁଚୁରା ବିକ୍ରେତା ରିଲାଏନ୍ସ ରିଟେଲ ମଧ୍ୟ କହିଛି ଯେ ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ମୋବାଇଲ ଫୋନ ବିକ୍ରିରେ ହ୍ରାସ ଘଟିଛି |

ଏ ସମ୍ପର୍କରେ ଜୈନା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଜୈନ କହିଛନ୍ତି ଯେ ମୋବାଇଲ ଫୋନ ଶିଳ୍ପର ଚାହିଦା ଜନିତ ଦେଖାଯାଇଥିବା ଏହି ପ୍ରଭାବ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଦେଖାଦେଇଛି | କମ୍ପାନୀଗୁଡ଼ିକ ଚାହିଦା ଅନୁଯାୟୀ ଉତ୍ପାଦନରେ ହ୍ରାସ ଘଟାଉଛନ୍ତି | ଏହି ଚାପ କିଛି ସମୟ ପର୍ଯ୍ୟନ୍ତ ଜାରି ରହିବ | କାଉଣ୍ଟର ପଏଣ୍ଟର ଅନୁସନ୍ଧାନ ନିର୍ଦ୍ଦେଶକ ତରୁଣ ପାଠକ କହିଛନ୍ତି ଯେ କମ୍ପାନୀଗୁଡ଼ିକ ସ୍ମାର୍ଟଫୋନ ଉତ୍ପାଦନ ୧୫-୨୦ ପ୍ରତିଶତ ହ୍ରାସ କରିଛନ୍ତି | ଯାହା ମୁଖ୍ୟତଃ ଏଣ୍ଟ୍ରି ଲେବଲ ଏବଂ ମଧ୍ୟମ ସ୍ତରରେ ଫୋନ ଗୁଡିକ ଶ୍ରେଣୀର | ଅନ୍ୟପକ୍ଷରେ ପ୍ରିମିୟମ ସେଜିମେଣ୍ଟରେ ସ୍ମାର୍ଟଫୋନ ବିକ୍ରି ଏବେ ମଧ୍ୟ ଜାରି ରହିଛି | ପାଠକଙ୍କ କହିବାନୁଯାୟୀ, ବର୍ତ୍ତମାନ ଅଧିକାଂଶ ବ୍ରାଣ୍ଡରେ ବିକ୍ରି ମାନ୍ଦା ରହି ପ୍ରାୟ ୧୦ ସପ୍ତାହ ପର୍ଯ୍ୟନ୍ତ ଷ୍ଟକ ମହଜୁଦ ରହିଛି | ଉତ୍ପାଦନରେ ହ୍ରାସ ସ୍ଥିତି ଏପ୍ରିଲ-ଜୁନ ତ୍ରୈମାସ ପର୍ଯ୍ୟନ୍ତ ଜାରି ରହିବ ଏବଂ କ୍ୟାଲେଣ୍ଡର ବର୍ଷର ଦ୍ୱିତୀୟାର୍ଦ୍ଧରେ ଏଥିରେ ସାମାନ୍ୟ ଉନ୍ନତି ଆସିପାରେ | ଉତ୍ପାଦନରେ ଏହି ହ୍ରାସ ପ୍ରଥମ ଥର ପାଇଁ ଚଳିତ କ୍ୟାଲେଣ୍ଡର ବର୍ଷରେ ହୋଇଥିବାବେଳେ ଶିଳ୍ପ ଗତ ବର୍ଷ ଏପ୍ରିଲ- ଜୁଲାଇରେ ଏବଂ ଦୀପାବଳି ପରେ ପୁନର୍ବାର ନଭେମ୍ବର-ଡିସେମ୍ବରରେ ସମାନ ଉତ୍ପାଦନ ହ୍ରାସ ଘଟାଇଥିଲା | ଅପରପକ୍ଷେ ଡିକସନ ଟେକ୍ନୋଲୋଜୀର ପରିଚାଳନା ନିର୍ଦ୍ଦେଶକ ଅତୁଲ ବି ଲାଲ ଭିନ୍ନ ମତ ରଖି କହିଛନ୍ତି ଯେ ମୋବାଇଲ ଫୋନର ଚାହିଦା ବଢି ନାହିଁ, କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ହ୍ରାସ ମଧ୍ୟ ଘଟି ନାହିଁ | କାରଣ ବର୍ତ୍ତମାନ କେତେକ କମ୍ପାନୀ ମଧ୍ୟ ଭାରତରୁ ହ୍ୟାଣ୍ଡସେଟ ରପ୍ତାନି କରୁଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *