ଚୋର ଗ୍ୟାଙ୍ଗକୁ କାବୁ କଲା ପୋଲିସ

ଚୋର ଗ୍ୟାଙ୍ଗକୁ କାବୁ କଲା ପୋଲିସ

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଏକ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗରେ ରହିଥିବା ଦୁଇ ଜଣକୁ କାବୁ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗାଁର ରବି ନାହକ ଓ ବିକାଶ ନାହକ । ଏହି ଦୁଇ ଅଭିଯୁକ୍ତଙ୍କ ଠାରୁ ୧୭ଟି ମୋଟର ସାଇକେଲ ଓ ୩୦ଟି ସାଇକେଲ ଜବତ କରାଯାଇଛି । ଗତ ଏପ୍ରିଲ ମାସ ୧୧ ତାରିଖରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିକ୍ରମପୁର ଗାଁର ଶୁଭଜିତ ପାହନ ଏମକେସିଜି ମେଡିକାଲକୁ ନିଜ ବାପାଙ୍କ ଚିକିତ୍ସା ନିମନ୍ତେ ଆସିଥିବା ବେଳେ ତାଙ୍କ ସ୍କୁଟିଟି ଚୋରି ହୋଇଥିଲା । ସ୍କୁଟି ଚୋରି ହେବା ନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶୁଭଜିତ । ଘଟଣାକୁ ନେଇ ତଦନ୍ତ କରିବା ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ କରିବା ପରେ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ‌। ତେବେ ଏହି ଅଭିଯୁକ୍ତ ମାନେ ବିଶେଷ କରି ଏମକେସିଜି ମେଡିକାଲ କ୍ୟାମ୍ପସ, ଗୋପାଳପୁର ସମୁଦ୍ର ବେଳାଭୂମିର‌ ପାର୍କିଂ ସ୍ଥାନ ଓ ରେଳ ଷ୍ଟେସନ ପାର୍କିଂ ସ୍ଥାନରୁ ମୋଟର ସାଇକେଲ ଓ ସାଇକେଲ ଚୋରି କରୁଥିଲେ । ସବୁଠାରୁ ବଡ଼ କଥା ହେଲା ଗୋଟିଏ ପାର୍କିଂ ସ୍ଥାନରୁ ଚୋରି କରିବା ପରେ ସେହି ଗାଡ଼ିକୁ ଆଉ ଏକ ପାର୍କିଂ ସ୍ଥାନରେ ନେଇ ରଖୁଥିଲେ । ଯାହାଫଳରେ ଗାଡ଼ି ମାଲିକ ନିଜ ଗାଡ଼ିକୁ ଖୋଜି ବାହାରିବା କଷ୍ଟସାଧ୍ୟ ରହୁଥିଲା । ଆଉ ଏହି ସମୟ ମଧ୍ୟରେ ଚୋର ମାନେ ଗାଡ଼ିକୁ ବିକ୍ରି କରିବା ନିମନ୍ତେ ଗ୍ରାହକ ଯୋଗାଡୁଥିଲେ । ଗ୍ରାହକ ମିଳିବା ପରେ ଚୋରି କରିଥିବା ଗାଡିକୁ ୮ ହଜାରରୁ ୧୫ ହଜାର ଟଙ୍କାରେ ବିକ୍ରି କରି ଦେଉଥିଲେ । ଏହି ଗ୍ୟାଙ୍ଗରେ ଆଉ କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଥିବା ନେଇ ଜଣାପଡିଥିବା ବେଳେ ସେମାନେ ବର୍ତ୍ତମାନ ଫେରାର ରହିଛନ୍ତି । ଫେରାର ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି ଅସୀମ ପଣ୍ଡା । ସେପଟେ ଚୋରଙ୍କ ଠାରୁ ମୋଟର ସାଇକେଲ ଜବତ ହେବା ପରେ ମୋଟର ସାଇକେଲର ପ୍ରକୃତ ମାଲିକ ମାନଙ୍କୁ ଥାନାକୁ ଡକାଯାଇଥିଲା । ମୋଟର ସାଇକେଲର ମାଲିକ ମାନେ ନିଜ ନିଜ ଗାଡ଼ିର ସଠିକ ପ୍ରମାଣପତ୍ର ଦେଖାଇବା ପରେ ପୋଲିସ ଗାଡ଼ି ମାଲିକଙ୍କୁ ମୋଟର ସାଇକେଲ ଚାବି ପ୍ରଦାନ କରିଥିଲା ‌। ଚୋରି ହୋଇଥିବା ଗାଡ଼ି ପାଇବା ପରେ ପୋଲିସକୁ ଧନ୍ୟବାଦ ଦେଇଥିଲେ ମୋଟର ସାଇକେଲ ମାଲିକ ମାନେ ।

author

Related Articles

Leave a Reply

Your email address will not be published. Required fields are marked *