ରାଜ୍ୟରେ କଣ ଚାଲିଛି କଣ ନାଇଁ ଟିକନିଖ୍ ଖବର ରଖିଛନ୍ତି ନବୀନ । ସବୁ ପ୍ରସଙ୍ଗରେ ମୁହଁ ଖୋଲି ବିଜେପିକୁ ପ୍ରଶ୍ନ କଲେ ବିଜେଡି ସୁପ୍ରିମୋ । ରାଜ୍ୟରେ ଏବେ ସ୍ଥିତି ଯେପରି ହେଲାଣି ପ୍ରତିଦିନ ହିଂସା ଘଟୁଛି । ପୂଜା ପାର୍ବଣରେ ବି ଲୋକେ ସୁରକ୍ଷିତ ନୁହଁନ୍ତି । ଏପରିକି ନିଜ ଘର ଆଗରେ ଛିଡା ହୋଇଥିବା ଖୋଦ ଶାସକ ଦଳର ନେତା ହତ୍ୟାର ଶିକାର ହେଉଛନ୍ତି । ଆଉ ଏହି ସବୁ ଘଟଣା ଏବେ ସମସ୍ତଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ରାଜ୍ୟର ଆଇନ ବିଶୃଙ୍ଖଳା ଶୀର୍ଷ ଛୁଇଁଥିବା ବେଳେ ସରକାର କାହିଁକି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନାହାନ୍ତି ତାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଛି । ତେବେ ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।
ସୋସିଆଲ ମିଡିଆରେ ପୋଷ୍ଟ କରି ଉଦବେଗ ପ୍ରକାଶ କରିଛନ୍ତି ନବୀନ । ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ, ନିଜକୁ ଅସୁରକ୍ଷିତ ମନେ କଲେଣି ଲୋକ । ନିଜ ସୋସିଆଲ ସାଇଟରେ ଏଭଳି କହି ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଘର ସାମ୍ନାରେ ଠିଆ ହୋଇଥିବା ସମୟରେ ଗଞ୍ଜାମର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଯେପରି ଗୁଳି କରି ହତ୍ୟା କରାଗଲା ତାହା ଅତ୍ୟନ୍ତ ଜଘନ୍ୟ ଓ ଦୁଃଖଦାୟକ । ଏଭଳି କହିବା ସହ ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଛନ୍ତି ନବୀନ ପଟ୍ଟାନାୟକ । ସେହିପରି ରାଉରକେଲାରେ ଦୁଷ୍କର୍ମ, କଣାସରେ ଲକ୍ଷ୍ମୀ ବସ ଭିତରେ ଅଭାବନୀୟ କାଣ୍ଡ ସାଙ୍ଗକୁ ବାଲେଶ୍ୱରରେ ରାତ୍ରିକାଳୀନ କଟକଣା ଓ କଟକରେ ସାମ୍ପ୍ରଦାୟିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି ନବୀନ । ପୋଲିସ ଏସଆଇ ନିଯୁକ୍ତିରେ ମହାଘୋଟାଲା ଆଶାୟୀ ଯୁବଗୋଷ୍ଠୀଙ୍କ ମନୋବଳ ଭାଙ୍ଗି ଦେଇଥିବା ବେଳେ ସରକାରୀ ନିଯୁକ୍ତିରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବାରେ ମଧ୍ୟ ବିଜେପି ସରକାର ଅସମର୍ଥ ବୋଲି ସେ କହିଛନ୍ତି । ଶାନ୍ତିପ୍ରିୟ ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମଜଭୁତ ରଖିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରୁଛି । ଅପରାଧ ରୋକିବା ପାଇଁ ସରକାର କାହିଁକି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନାହାନ୍ତି ? ଲୋକଙ୍କ ସ୍ୱାର୍ଥ ପାଇଁ ସରକାର ତତ୍ପର ଓ ସଜାଗ ହେବା ଜରୁରୀ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
