ଫଳ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ତ ଆମେ ସମସ୍ତେ ଜାଣିଛେ । କିନ୍ତୁ ଫଳ ସହ ଫଳର ଚୋପା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଆପଣ ଜାଣନ୍ତି କି । ତେବେ ବିଭିନ୍ନ ପ୍ରକାର ଫଳ ଗୁଡିକ ମଧ୍ୟରୁ ଡାଳିମ୍ବ ହେଉଛି ଅନ୍ୟତମ ଏଥିରେ ଜିଙ୍କ, ପୋଟାସିୟମ୍, ଆଇରନ୍ ଏବଂ ଓମେଗା-୬ ଫ୍ୟାଟି ଏସିଡ୍ ଥାଏ। ଡାଳିମ୍ବ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ ଏବଂ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। ହେଲେ ଡାଳିମ୍ବ ଚୋପା ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଯଦି ଆପଣ ଏହାର ଚୋପାକୁ ସଠିକ୍ ଭାବେ ବ୍ୟବହାର କରିପାରିବେ ତେବେ ହୃଦୟ ସ୍ୱାସ୍ଥ୍ୟଠୁ ନେଇ ମେଦବହୁଳତା ପର୍ୟ୍ୟନ୍ତ ବଡ଼ ବଡ଼ ସମସ୍ୟାକୁ ଦୂର କରିପାରିବେ! କିପରି, ଜାଣନ୍ତୁ…
ଡାଳିମ୍ବ ଚୋପାର ଉପକାରିତା
ହୃଦୟକୁ ସୁସ୍ଥ ରଖେ- ଡାଳିମ୍ବ ଚୋପା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ଏହା ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଡାଳିମ୍ବ ଚୋପାର ଚା’ ପିଇବା ଦ୍ୱାରା କୋଲେଷ୍ଟ୍ରଲ ହ୍ରାସ ହୋଇପାରେ। କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଲେ, ହୃଦୟ ସ୍ୱାସ୍ଥ୍ୟ ଆପଣାଛାଏଁ ବଜାୟ ରହିଥାଏ। ଡାଳିମ୍ବରୁ ଭିଟାମିନ୍ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ। ତେଣୁ ଡାଳିମ୍ବ ଚା’ ପିଇବା ଦ୍ୱାରା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢି ପାରିବ। ଫଳରେ ମୌସୁମୀରେ ହେଉଥିବା ସାଧାରଣ ଥଣ୍ଡା-ଜ୍ୱର ଏବଂ ସଂକ୍ରମଣ ସମସ୍ୟା ହେବ ନାହିଁ।
ଓଜନ ହ୍ରାସ- ଡାଳିମ୍ବ ଚୋପା ଚା’ ଓଜନ ହ୍ରାସ କରିବାରେ ବେଶ୍ ଲାଭଦାୟକ ହୋଇପାରିବ। ମେଦବହୁଳତା ଥିଲେ ଦିନକୁ ଥରେ ଡାଳିମ୍ବ ଚୋପା ଚା’ ପିଇବା ଆବଶ୍ୟକ। ଏହି ଚା’ ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି କମିଯାଏ। ଫଳରେ ମେଦବହୁଳତା ସମସ୍ୟା ଦୂର ହୋଇପାରିବ।
ଡାଳିମ୍ବ ଚୋପା ଚା’ କିପରି ପ୍ରସ୍ତୁତ କରିବେ?
ଚା’ ତିଆରି କରିବା ପାଇଁ ଡାଳିମ୍ବ ଚୋପାକୁ ପରିସ୍କାର ପାଣିରେ ଧୋଇ ଦିଅନ୍ତୁ।
ଏହାପରେ ଚୋପାକୁ ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ।
ଏହି ଚୋପାକୁ ସୂର୍ୟ୍ୟକିରଣରେ ଶୁଖାନ୍ତୁ।
ଚୋପା ଶୁଖିଗଲା ପରେ ସେଗୁଡିକୁ ଗ୍ରାଇଣ୍ଡିଂ କରି ପାଉଡର ତିଆରି କରନ୍ତୁ।
ଏହି ପାଉଡରକୁ ଏକ ବାକ୍ସରେ ରଖନ୍ତୁ।
ଚା’ କରିବା ସମୟରେ ପାଣିରେ ଏହି ପାଉଡର ମିଶାନ୍ତୁ।
ଏଥିରେ ମହୁ ଏବଂ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ।
ଚା’ ଫୁଟିଗଲା ପରେ ଏହି ପାଣିକୁ ପିଅନ୍ତୁ।