ଚଳିତ ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନକୁ ନେଇ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ କିନ୍ତୁ ଏବେଠାରୁ ତାମିଲନାଡୁରେ ନିର୍ବାଚନୀ ହାୱା ବହିଲାଣି । ଖାସ୍ କରି ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଥାଲାପତିଙ୍କ ଦଳ ଟିଭିକେକୁ ନେଇ ଅଧିକ ଚର୍ଚ୍ଚା ବଢିଛି । ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଟିଭିକେ ନେତା ବିଜୟ ଦୁଇଟି ଆସନରୁ ନିର୍ବାଚନ ଲଢିପାରନ୍ତି । ଟିଭିକେ ସୂତ୍ରରୁ ଏହି ସୂଚନା ମିଳିଛି । ବିଜୟ ପୂର୍ବରୁ ଚେନ୍ନାଇର ବିରୁଗାମ୍ୱକମ ଆସନରୁ ନିର୍ବାଚନ ଲଢିବାକୁ ଘୋଷଣା କରିସାରିଛନ୍ତି ଏଥିସହ ସେ ତ୍ରିଚି-ଇଷ୍ଟ ଆସନରୁ ମଧ୍ୟ ନିର୍ବାଚନ ଲଢିପାରନ୍ତି ବୋଲି କୁହାଯାଉଛି । ଚର୍ଚ୍ଚା ହେଉଛି ଦଳର ଉପସ୍ତିତି ଜାହିର କରିବା ପାଇଁ ବିଜୟ ଏପରି ନିଷ୍ପତ୍ତି ନେଇପାରନ୍ତି । ରାଜନୀତିରେ ନୂଆକରି ପାଦ ଥାପିଥିବା ବିଜୟଙ୍କ ଦଳ ଟିଭିକେ ପ୍ରତି ଜନତାଙ୍କର ଅକୁଣ୍ଠ ସମର୍ଥନ ଥିବା କଥା ଖୋଦ ବିଜୟ କହିଥିଲେ । ଆଗାମୀ ଦିନରେ ଟିଭିକେ ହିଁ ଡିଏମକେ ଶାସନର ବିକଳ୍ପ ହୋଇପାରିବ ବୋଲି ବିଜୟ କହିଛନ୍ତି । ଖାଲି ସେତିକି ନୁହେଁ ବରଂ ଗଣମାଧ୍ୟମ ସାମ୍ନାରେ ବିଜୟର ଏକ ବୟାନ ତାମିଲନାଡୁ ରାଜନୀତିକୁ ଆହୁରି ଉଷ୍ମ କରିଛି । ତାମିଲନାଡୁରେ ତ୍ରିମୁଖୀ ଲଢେଇ ହେବା ନେଇ କୁହାଯାଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ବିଜୟ ଥାଲାପତି । ସେ କହିଛନ୍ତି ରାଜ୍ୟରେ ତ୍ରିମୁଖୀ କିମ୍ୱା ଚତୁମୁର୍ଖୀ ଲଢେଇ ନେଇ ଯେଉଁ ଚର୍ଚ୍ଚା ହେଉଛି ବାସ୍ତବରେ ସେଭଳି କିଛି ହେବ ନାହିଁ ବରଂ ଏଥର ନିର୍ବାଚନରେ ଡିଏମକେ ଓ ଟିଭିକେ ମଧ୍ୟରେ ମୁକାବିଲା ହେବ । ମୁଖ୍ୟ ଲଢେଇ ଟିଭିକେ ଓ ଡିଏମକେ ମଧ୍ୟରେ ହେବ । ବିଜେପି ଓ ତାର ସହଯୋଗୀ ଦଳମାନେ ତୃତୀୟ ସ୍ଥାନରେ ରହିବ ବୋଲି ବିଜୟ କହିଛନ୍ତି ।
ତେବେ ତାମିଲନାଡୁ ନିର୍ବାଚନ ଜିତିବା ପାଇଁ ଉଭୟ ଟିଭିକେ ଓ ଡିଏମକେ ନିଜର କସରତ ଆରମ୍ଭ କରିଦେଇଛି । ସେପଟେ ଏନଡିଏ ମଧ୍ୟ ତାମିଲନାଡୁ ନିର୍ବାଚନ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଯଦିଓ ଦକ୍ଷିଣ ଭାରତରେ ବିଜେପିର ସଙ୍ଗଠନ ମଜଭୁତ ନୁହେଁ କିନ୍ତୁ ଆଗାମୀ ତାମିଲନାଡୁ ନିର୍ବାଚନ ପାଇଁ ଦିଲ୍ଲୀ ବିଜେପି କ୍ୟାମ୍ପରେ ପ୍ରସ୍ତୁତ ହେଉଥିବା ରଣନୀତି ତାମିଲନାଡୁ ନିର୍ବାଚନର ଫଳାଫଳକୁ ବଦଳାଇଦେଇପାରେ ।
