ପୁଣି ଥରେ ପୋଲିସର କର୍ତ୍ବବ୍ୟ, ଦାୟିତ୍ବ ଏବଂ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୁକ୍ତଙ୍କୁ ଧରିବାକୁ ନା ସେମାନଙ୍କୁ ବଞ୍ଚାଇବାକୁ ପୋଲିସ ବର୍ଦ୍ଦି ପିନ୍ଧିଛନ୍ତି ସେନେଇ ପ୍ରଶ୍ନ କରାଯାଉଛି। କେବଳ ନିଜ ପକେଟ ଭର୍ତି କରିବାକୁ ନିର୍ଦ୍ଦୋଷଙ୍କୁ ଜେଲରେ ପୁରାଇବାକୁ ଶପଥ ନେଇଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ତେବେ ନିକଟରେ ଦୁଇ ଦୁଇଟି ଘଟଣାକୁ କେନ୍ଦ୍ର କରି ପୋଲିସ ବର୍ଦ୍ଦି ଉପରେ କାଦୁଅର ଛିଟା ପଡିଛି । ନେତାଙ୍କ ଘରୁ ଚୋରୀ ମାମଲାରେ ପୋଲିସ ସାକ୍ଷ୍ୟ ପ୍ରମାଣ ନଦେଇପାରିବାରୁ ହାଇପ୍ରୋଫାଇଲ ଚୋର ନିର୍ଦ୍ଦୋଶରେ ଖଲାସା ହେଲା ଆଉ ଏବେ ବିଧାୟକଙ୍କ ପୁଅକୁ ବଞ୍ଚେଇବାକୁ ଯାଇ ସାଧାରଣ ଲୋକଙ୍କ ଉପରେ ପୋଲିସ ଆକ୍ସନ ନେଉଛି । ଆଉ ଏଥିରୁ ପୋଲିସ କାହା ପାଇଁ କାମ କରୁଛି ଏବଂ କଣ ପାଇଁ ସେ ବର୍ଦ୍ଦି ସେନେଇ ବିରାଟ ପ୍ରଶ୍ନ ।
ତେବେ କିଛି ଦିନ ହେବ ବରଗଡ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀଙ୍କ ପୁଅ ବରଗଡରେ ହମ୍ପ୍ସ ପାଇଁ ପ୍ରତିବାଦ କରୁଥିବା ପ୍ରତିବାଦକାରୀଙ୍କ ଉପରେ ଗାଡି ଚଢାଇବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ଚାଲିଛି । ଏପରିକି ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁ ଭିଡିଓରେ ପ୍ରତିବାଦ ଚାଲିଥିବା ସ୍ଥାନରେ ଏକ କଳା ରଙ୍ଗର କାର ଜବରଦସ୍ତ ସେଠାରେ ଯିବାକୁ ଚେଷ୍ଟା କରିଥିବା ଏବଂ ସ୍ଥାନୀୟ ଆନ୍ଦୋଳନକାରୀ କାରଟିକୁ ଆକ୍ରମଣ କରିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ଏପରିକି କାରରୁ ଯୁବକଙ୍କୁ ଟାଣି ନେଇ ନିର୍ଦ୍ଦୁମ ପିଟିଥିଲେ ପ୍ରତିବାଦକାରୀ। ଏବଂ ଏଥିରେ ବିଧାୟକଙ୍କ ପୁଅ ରହିଥିବା ବିରୋଧୀ ଦାବି କରିଛନ୍ତି । । ତେବେ ଘଟଣାକୁ ନେଇ ବରଗଡ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ମୁହଁ ଖୋଲିବା ସହିତ ତାଙ୍କ ପୁଅ ସେଠାରେ ଉପସ୍ଥିତ ଥିବା, ଗାଡି ସାଇଡ କରିଥିବା ଏବଂ ତାଙ୍କ ପୁଅଙ୍କୁ ଆକ୍ରମଣ ହୋଇନଥିବା ସ୍ପଷ୍ଟ କରିଥିଲେ । ଏହା ସହିତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିବା ବି ନଜର ଆସିଥିଲେ । ଯେଉଁଥିରୁ ବିଧାୟକଙ୍କ ପୁଅ ସେହି ଘଟଣାରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହେଉଛି।
କିନ୍ତୁ ଏହି ଘଟଣାରେ ପୋଲିସ ନୀରବ ରହିଛି । ଏଏସଆଇ ବରଗଡ ଥାନାରେ ଏତଲା ଦେବା ସହିତ ଘଟଣା ସ୍ଥଳରେ ଥିବା ବରଡୋଲ ଗାଁରେ ଅନେକ ଅଜଣା ଲୋକଙ୍କ ନାଁରେ ମାମଲା ରୁଜୁ କରିଛି । କିନ୍ତୁ ସେହି କଳା କାର ଭିତରେ କିଏ କିଏ ଥିଲେ, ପୋଲିସ ତାହା ଖୁଲାସା କରୁନି । ବିଧାୟକଙ୍କ ପୁଅ ସମ୍ପର୍କରେ ବି କୌଣସି ବୟାନବାଜି କରୁନି ପୋଲିସ । ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ବଢିଛି । ଏବଂ ପୋଲିସ କାହାକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଏଥିରୁ ଅନୁମାନ କରାଯାଉଛି ।
