- ପାଖଉଛି ନିର୍ବାଚନ, ଦଳକୁ ସୃଦୃଢ କରିବାକୁ ଅଣ୍ଟା ଭିଡିଲେ ନବୀନ
- ନିଇତି ନବୀନ ନିବାସ ଧାଉଁଛନ୍ତି ବିଜେଡି ବିଧାୟକ
- ବୈଠକ କରି ନେତାଙ୍କୁ କର୍ଣ୍ଣମନ୍ତ୍ର ଦେଉଛନ୍ତି ସୁପ୍ରିମୋ
ହଁ ଆଜ୍ଞା ବାରମ୍ୱାର ବିଜୁ ଜନତା ଦଳର ନେତାଙ୍କ ମେଳି ହେବା ପରେ ଏବେ ଆକ୍ସନ ମୁଡରେ ଶଙ୍ଖପତି । ସଭାପତି ନବୀନ ପଟ୍ଟନାୟକ ବିଧାୟକ ମାନଙ୍କୁ ନବୀନ ନିବାସ ଡକାଇ ବୈଠକ କରୁଛନ୍ତି ବିଜେଡି ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ କର୍ଣ୍ଣମନ୍ତ୍ର ଦେଉଛନ୍ତି । ତେବେ ନିଇତି ନବୀନ ନିବାସରେ ନେତାଙ୍କ ଲମ୍ୱା ଲାଇନ ଦେଖିବାକୁ ମିଳୁଛି । ଶଙ୍ଖପତିଙ୍କ ଡକରା ପାଇ ନେତାଏ ନବୀନ ନିବାସରେ ହାଜରା ପକାଉଛନ୍ତି ଏବଂ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଓ ଉନ୍ନୟନ୍ନ ମୂଳକ କାର୍ଯ୍ୟ ନେଇ ସୁପ୍ରିମୋଙ୍କୁ ଅବଗତ କରାଉଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିକଟରେ ବାରମ୍ୱାର ବିଜେଡି ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କର ମେଳି ଦେଖିବାକୁ ମିଳିଥିଲା । ଯାହାପରେ ଶଙ୍ଖପତିଙ୍କ ନିର୍ଦ୍ଦେଶକୁ ନେତମାନେ ମେଳି କି ଖାତିର କରୁନଥିବା ମଧ୍ୟ ଚର୍ଚ୍ଚା ହେଲା । ଆଉ ଏହାପରେ ତୃଣମୂଳ ସ୍ତରରୁ ଦଳର ସଙ୍ଗଠନକୁ ମଜଭୁତ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ନବୀନ ନିବାସରେ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ନବୀନ ନିବାସରେ ବିରୋଧି ଦଳ ନେତାଙ୍କୁ ଜଣେ ପରେ ଜଣେ ବିଧାୟକ ଭେଟିବା ସହିତ ନିର୍ବାଚନ ମଣ୍ଡଳୀର ସମସ୍ୟା ଓ ସଙ୍ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରୁଛନ୍ତି । ଏହାସହିତ ନବୀନ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି । ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
ପଞ୍ଚାୟତ ଓ ପୌର ନିର୍ବାଚନ ପାଖଉଥିବାରୁ ତୃଣମୂଳ ସ୍ତରରୁ ଦଳକୁ ସୃଦୃଢ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଖୋଦ ସୁପ୍ରିମୋ ନବୀନ ପଟ୍ଟନାୟକ । 24 ସାଧାରଣ ନିର୍ବାଚନ ପରି ପୁଣିଥରେ ବିଜେଡିକୁ ପୌର ଓ ପଞ୍ଚାୟତ ନିର୍ବାଚନରେ ଯେମିତି ବିପର୍ଯ୍ୟୟର ସାମ୍ନା କରିବାକୁ ନ ପଡୁ ସେନେଇ ନବୀନ ନିବାସରେ ଏବେଠାରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି ନବୀନ ପଟ୍ଟନାୟକ ।
