ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ଣତା ବଢିଛି । ଦିଦିଙ୍କ ଗଡକୁ ଘନ ଘନ ଗସ୍ତ କରୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ପଶ୍ଚିମବଙ୍ଗରେ ପଦ୍ମ ଫୁଟାଇବାକୁ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରୁଛି ଭାରତୀୟ ଜନତା ପାର୍ଟି । ଦିଦିଙ୍କ ଗଡରେ ସମାବେଶ ଉପରେ ସମାବେଶ କରୁଛନ୍ତି ପଦ୍ମ ନେତା । ହଁ ଦର୍ଶକବନ୍ଧୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘନ ଘନ ପଶ୍ଚିମବଙ୍ଗ ଗସ୍ତ କରି ନିଜର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ପଶ୍ଚିମବଙ୍ଗରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବଙ୍ଗଳାରେ ତୃଣମୂଳ କଂଗ୍ରେସ ସରକାରର ପତନ ନିଶ୍ଚିତ ଏବଂ ୨୦୨୬ ରାଜ୍ୟ ରାଜନୀତିରେ ପରିବର୍ତ୍ତନର ବର୍ଷ ହେବ ବୋଲି ଦାବି କରିଛନ୍ତି ଶାହ। କହିଛନ୍ତି, ବାମପନ୍ଥୀମାନଙ୍କୁ ହଟାଇବା ପାଇଁ ବଙ୍ଗଳାର ଲୋକମାନେ ଟିଏମସିକୁ କ୍ଷମତା ହସ୍ତାନ୍ତର କରିଥିଲେ, କିନ୍ତୁ ଆଜି ସେହି ସରକାର ଦୁର୍ନୀତି, ଭ୍ରଷ୍ଟାଚାର, ପୁଲିସର ଅପବ୍ୟବହାର ଓ ଅନୁପ୍ରବେଶକୁ ପ୍ରୋତ୍ସାହିତ କରି ରାଜ୍ୟକୁ ପଛକୁ ନେଉଛନ୍ତି । ତେଣୁ ୨୦୨୬ ଟିଏମସିକୁ ବିଦାୟ ଦେବାର ବର୍ଷ। ଖାଲି ସେତିକି ନୁହେଁ ଟିଏମସି ସରକାର ଉପରେ ଅଭିଯୋଗ ଆଣି ଶାହ କହିଛନ୍ତି ରାଜ୍ୟ ସରକାର ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଉନାହାଁନ୍ତି, ଯାହା ସୀମା ସୁରକ୍ଷା ବାହିନୀକୁ ତା’ର କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରୁଛି। ହାଇକୋର୍ଟ ଏହି ମାମଲାରେ ବିଏସଏଫ ସପକ୍ଷରେ ରାୟ ଦେଇଛନ୍ତି, କିନ୍ତୁ ଏହା ସତ୍ତ୍ୱେ, ଜମି ଯୋଗାଇ ଦିଆଯାଉନାହିଁ କାରଣ ଅନୁପ୍ରବେଶକାରୀମାନେ ଶାସକ ଦଳର ଭୋଟ ବ୍ୟାଙ୍କ। ଶାହ ଦାବି କରିଛନ୍ତି, ବିଜେପି କ୍ଷମତାକୁ ଆସିବା ପରେ, ୪୫ ଦିନ ମଧ୍ୟରେ ସୀମାରେ ବାଡ଼ ନିର୍ମାଣ ସମାପ୍ତ ହେବ ଏବଂ ସୁରକ୍ଷାକୁ ସୁଦୃଢ଼ କରାଯିବ । ତେବେ ଶାହଙ୍କ ଗସ୍ତ ଓ ସମାବେଶକୁ ନେଇ ତୃଣମୂଳ କଂଗ୍ରେସ ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।
