ଦିଲ୍ଲୀରେ ଅଦିନିଆ ରଥ ଯାତ୍ରା

ଦିଲ୍ଲୀରେ ଅଦିନିଆ ରଥ ଯାତ୍ରା

ଦିଲ୍ଲୀରେ ଅନୁଷ୍ଠିତ ହେଲା ଅଦିନିଆ ରଥ ଯାତ୍ରା । ମହାପ୍ରଭୁଙ୍କ ଅଣସର ନୀତି ଚାଲିଥିବା ବେଳେ ଦିଲ୍ଲୀରେ ଅଦିନିଆ ରଥ ଯାତ୍ରା ଅନୁଷ୍ଠିତ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥିବା ନିଜ ସୋସିଆଲ ମିଡିଆ ପେଜରେ ସେୟାର କରିଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପି ନେତାଙ୍କୁ ଚାରିଆଡୁ ପ୍ରଶ୍ନ ଉଠିଲାଣି । ଗୋଟିଏ ପଟେ ଇସ୍କନ ଅଦିନିଆ ରଥ ଯାତ୍ରାର ଆୟୋଜନ କରୁଥିବାରୁ ଇସ୍କନ କର୍ତୁ ପକ୍ଷଙ୍କୁ ସରକାର ତାଗିଦ କରୁଥିଲେ । କିନ୍ତୁ ଏବେ ବିଜେପି ଶାସିତ ରାଜ୍ୟରେ ଅଦିନିଆ ରଥ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ରାଜ୍ୟ ବିଜେପି ନେତା ତଥା ଖୋଦ ମୁଖ୍ୟମନ୍ତ୍ରୀ କିପରି ଏହାକୁ ରୋକିପାରିଲେନି ଏବଂ ଏପରି ହେବାକୁ ଦେଲେ ତାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।

ତେବେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ସାରା ବିଶ୍ୱରେ ପ୍ରସିଦ୍ଧ ଥିବା ବେଳେ ରୀତି ନୀତି ଅନୁଯାୟୀ ଏହି ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ଏବେ ମହାପ୍ରଭୁ ଅଣସର ଘରେ ରହିଛନ୍ତି । ତାଙ୍କର ବିଭିନ୍ନ ନୀତି କାନ୍ତି ପର୍ଯ୍ୟାୟ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେଉଛି । ଏବଂ ଆସନ୍ତା ୨୭ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ ସରିଛି । କିନ୍ତୁ ତଥାପି ଦିଲ୍ଲୀ ସରକାର କିପରି ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜ ରାଜ୍ୟରେ ରଥ ଯାତ୍ରାର ଆୟୋଜନ କଲେ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏପରିକି ସୋସିଆଲ ମିଡିଆରେ ମଧ୍ୟ ଏପରି ମନମାନୀକୁ ତୀବ୍ର ନିନ୍ଦା କରାଯାଉଛି । ଏହା ସହ ଯେପରି ଇସ୍କନ ଅଦିନିଆ ରଥ ଯାତ୍ରାର ଆୟୋଜନ କରିବା ସମୟରେ ଓଡିଶା ସରକାର ଏବଂ ଗଜପତି ମହାରାଜ ଇସ୍କନକୁ ତାଗିଦ କରୁଥିଲେ , ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଚେତାବନୀ ଦେଉଥିଲେ ଠିକ୍ ସେହିପରି ଦିଲ୍ଲୀ ସରକାରଙ୍କ ବିରୋଧରେ ସମାନ କାଯ୍ୟାନୁଷ୍ଠାନ ସରକାର ନେବେ ନା ନାହିଁ ସେନେଇ ସୋସିଆଲ ମିଡିଆ ୟୁଜର୍ସ ପ୍ରଶ୍ନ କଲେଣି ।

ଅନ୍ୟପଟେ ଦେଖିବାକୁ ଗଲେ , ବିଜେପି ସରକାରରେ ମହାପ୍ରଭୁଙ୍କ ନେଇ ଅନେକ ବିବାଦ ସାମ୍ନାକୁ ଆସିଛି । ଗତ ବର୍ଷ ରଥ ଯାତ୍ରାରେ ବଡ ଠାକୁର ଆଡପ ମଣ୍ଡପରୁ ତଳେ ପଡିଯିବା , ଦୀଘାରେ ଶ୍ରୀମନ୍ଦିରର ଅବିକଳ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ଏପରିକି, ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ନାମରେ ନାମିତ କରିବା ଆଦି ଅନେକ ବିବାଦୀୟ ଘଟଣା ସାମ୍ନାକୁ ଆସିଛି । ଆଉ ଏବେ ବିଜେପି ଶାସିତ ରାଜ୍ୟରେ ରଥ ଯାତ୍ରା ପାଇଁ ନିର୍ଦ୍ଧାରିତ ହୋଇଥିବା ଦିନ ପୂର୍ବରୁ ହିଁ ରଥ ଯାତ୍ରା ଅନୁଷ୍ଠିତ ହୋଇଛି । ଯାହା ବିଜେପିର ସରକାର ପରିଚାଳନା କ୍ଷମତା ଉପରକୁ ଆଙ୍ଗୁଠି ଉଠାଇବା ସହ ଅପାରଗତାକୁ ଦର୍ଶାଉଥିବା ସାଧାରଣରେ ଜୋର ସୋରରେ ଚର୍ଚ୍ଚା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *