ଖାଁ ଖାଁ ଅଭିଯୋଗ ପ୍ରକୋଷ୍ଠ । ମନ ଦୁଃଖରେ ଫେରିଲେ ଅଭିଯୋଗକାରୀ । ନା ଥିଲେ ମୋହନ ନା ଥିଲେ ଅନ୍ୟ କେଉଁ ମନ୍ତ୍ରୀ । ହଁ ଆଜ୍ଞା, ପ୍ରତି ସୋମବାର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣୁଛନ୍ତି । କିନ୍ତୁ ମଝିରେ ମଝିରେ ଏହି ଅଭିଯୋଗ ଶୁଣାଣି ବନ୍ଦ ରହୁଛି । ଆଉ ଏହି କ୍ରମରେ ୨୮ ତାରିଖରେ ମଧ୍ୟ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । କିନ୍ତୁ ଏହି ଖବର ଅନେକଙ୍କ ପାଖରେ ପହଁଞ୍ଚିପାରିନଥିଲା । ଯେଉଁ କାରଣରୁ ଅନେକ ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ଶୁଣାଇବାକୁ ଚାଲି ଆସିଥିଲେ । କିନ୍ତୁ ଅଭିଯୋଗ ପ୍ରକୋଷ୍ଠରେ ନା ଥିଲେ ମୁଖ୍ୟମନ୍ତ୍ରୀ ନା ଅନ୍ୟ କେଉଁ ମନ୍ତ୍ରୀ । ଆଉ ଏହା ଦେଖି ଅଭିଯୋଗକାରୀ ମନ ଦୁଃଖ ରେ ଫେରିଥିଲେ । ସରକାରୀ ଅଧିକାରୀମାନେ ନାଲି ଆଖି ଦେଖାଉଥିବା ଏବଂ ତାଙ୍କ ହକ୍ ତାଙ୍କୁ ଫେରାଉନଥିବାରୁ ଏହି ମଉସା ଜଣକ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ । କିନ୍ତୁ ଅଭିଯୋଗ ପ୍ରକୋଷ୍ଠରେ କେହି ବି ନଥିଲେ । ଆଉ ଏହା ଦେଖି ନୂଆ ସରକାରଙ୍କୁ ସମାଲୋଚନା କରିବା ସହ ଅଭିଯୋଗ ଶୁଣାଣି ବନ୍ଦ ରହିବା ନେଇ ଅଧିକାଂଶ ଜନତା କାହିଁକି ଜାଣିପାରୁନାହାନ୍ତି ସେନେଇ ପ୍ରଶ୍ନ ମଧ୍ୟ କରିଛନ୍ତି ।
ଅନ୍ୟପଟେ ବାରମ୍ବାର ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବା କାରଣରୁ ଜନ ଅସନ୍ତୋଷ ବୃଦ୍ଧି ପାଇବା ସହ ବିରୋଧୀ ମଧ୍ୟ ଏହାକୁ ନିନ୍ଦା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନ୍ୟ ରାଜ୍ୟକୁ ଗସ୍ତ ସମୟରେ ହେଉ ବା ନିବାଚନୀ ପ୍ରଚାର ହେଉ ଏସବୁ କାରଣ ଦର୍ଶାଇ ଅଭିଯୋଗ ଶୁଣାଣି ବନ୍ଦ ରଖୁଛନ୍ତିା ଏବଂ ଅନ୍ୟ ଦିନମାନଙ୍କରେ ମୁଖ୍ୟମନ୍ତ୍ରୀ କେତେବେଳେ ଯାତ୍ରା ପେଣ୍ଡାଲ ବୁଲୁଛନ୍ତି ତ ଆଉ କେତେବେଳେ ରାଜରାସ୍ତାରେ ମନ୍ତ୍ରୀଙ୍କୁ ନେଇ ଦୌଡୁଛନ୍ତି । ଯାହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଛି । ଏହା ସହ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଥିବା ବେଳେ ଅନ୍ୟମନ୍ତ୍ରୀମାନେ କଣ କରୁଛନ୍ତି, ସେମାନେ କାହିଁକି ଅଭିଯୋଗ ଶୁଣୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଦୁଇ ଉପମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ସେନେଇ ମଧ୍ୟ ବିରୋଧୀ ପ୍ରଶ୍ନ କରିଛନ୍ତି ।