ପୁଣି ରେକର୍ଡ କଲା ଟିମ୍ ଇଣ୍ଡିଆ । ନବମଥର ଏସିଆ କପ୍ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ । ଫାଇନାଲ ମ୍ୟାଚରେ ଧୂଳିଚାଟିଲା ପାକିସ୍ତାନ । ମଇଦାନରେ ପାକିସ୍ତାନକୁ ପରାସ୍ତ କରି ପୁଣିଥରେ ଆମ ଦେଶର ଗର୍ବ ବଢାଇଛି ଟିମ୍ ଇଣ୍ଡିଆ । ଗତକାଲି ଏସିଆ କପ୍ ଫାଇନାଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ଯାହାଫଳରେ ପାକିସ୍ତାନ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ଦୁଇ ଓପନର ଚମତ୍କାର ବ୍ୟାଟିଂ ଆରମ୍ଭ କରିଥିଲେ । ପାକିସ୍ତାନ ଟିମ୍ ପକ୍ଷରୁ ସାହିବଜାଦା ଫରହାନ ୫୭ ଓ ଫକର ଜମାନ ୪୬ ରନ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଫଳରେ ଦଳ ୧୯ ଓଭର ୧ ବଲ ଖେଳି ୧୪୬ ରନ କରିଥିଲା । ସେହିପରି ୧୪୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ଝଟକା ଦେଇଥିଲା । ଭାରତର ପ୍ରମୁଖ ଟପ ଅର୍ଡର ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟ କୁମାର ଯାଦବ ବିଫଳ ହୋଇଥିଲେ । ଏହାପରେ ମଇଦାନ ସମ୍ଭାଳିଥିଲେ ତିଲକ ବର୍ମା ଆଉ ତାଙ୍କୁ ସାଥ ଦେଇଥିଲେ ସଞ୍ଜୁ ସାମସନ ଓ ଶିବମ ଦୁବେ । ଫଳରେ ଭାରତ ୬ ଓ୍ୱିକେଟରେ ବିଜୟୀ ହୋଇଛି । ଆଉ ଏସିଆ କପ ଟାଇଟଲ ଜିତିସାରିଛି ।
