ହଠାତ୍ ନବୀନ ନିବାସ ମୁହାଁ ମୋହନ
ଦୁଇ ମୁଖିଆଙ୍କ ମଧ୍ୟରେ 10 ମିନିଟର ଆଲୋଚନା
ନବୀନ-ମୋହନ ଭେଟଘାଟ ବଢିଲା ଚର୍ଚ୍ଚା
ହଁ ଦର୍ଶକବନ୍ଧୁ ରାଜ୍ୟ ରାଜନୀତିର ବାଦଶାହା ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଦବଦବା ଏବେ ବି ପୂର୍ବପରି ରହିଛି । କେବଳ ରାଜ୍ୟ ରାଜନୀତି ନୁହେଁ ବରଂ ଜାତୀୟ ରାଜନୀତିରେ ମଧ୍ୟ ନବୀନଙ୍କ ଖାତିର କିଛି ଅଲଗା । ଯାହାର ସଙ୍କେତ ନବୀନ ଅସୁସ୍ଥ ହେବା ପରେ ବେଶ୍ ଜଣାପାଡୁଛି । ଦିଲ୍ଲୀରୁ କେନ୍ଦ୍ରୀୟ ନେତୃତ୍ୱଙ୍କ ଘନ ଘନ ଫୋନ କଲରୁ ହିଁ ନବୀନଙ୍କ କ୍ରେଜ କେତେ ରହିଛି ତାହା ସ୍ପଷ୍ଟ ହୋଇଛି । ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଫୋନ କଲ ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଦିଲ୍ଲୀ ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ସେହିପରି କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁଲ ଖଡଗେ ମଧ୍ୟ ନବୀନଙ୍କୁ ଫୋନ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । କୁହାଯାଉଛି ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ରହିଛି ନବୀନଙ୍କୁ ନିଜ ଆଡକୁ ନେବା ପାଇଁ ଘନ ଘନ ଫୋନ କରୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ନବୀନଙ୍କୁ ସମବେଦନା ଜଣାଇ ନିଜ ପକ୍ଷକୁ ନେବା ପାଇଁ ଦୁଇ ଦଳ ନିଜର ପ୍ରୟାସ ଆରମ୍ଭ କରିଛନ୍ତି ।
ହଁ ଆଜ୍ଞା ଦିଲ୍ଲୀ ନେତାଙ୍କ ପରେ ପଡିଥିଲା ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଳି । ହଠାତ୍ ନବୀନ ନିବାସ ମୁହାଁ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ । ସୁସ୍ଥ ହୋଇ ଫେରିଥିବା ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ନବୀନ ନିବାସରେ ପହଞ୍ଚି ଯାଇଥିଲେ ମୋହନ । ମୁଖ୍ୟମନ୍ତ୍ରୀ ପହଞ୍ଚୁ ପହଞ୍ଚୁ କରମର୍ଦ୍ଦନ କରି ସ୍ବାଗତ କରିଥିଲେ ନବୀନ । ସାମ୍ନା ସାମ୍ନି ହୋଇ ବସି ଡ୍ରଇଂ ରୁମରେ ପ୍ରାୟ ୧୦ ମିନିଟ ଧରି ଆଲୋଚନା କରିଛନ୍ତି ଉଭୟ ନେତା । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ଅଛି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଉତ୍ତରରେ ବିରୋଧୀ ଦଳ ନେତା କହିଥିଲେ, ସୁସ୍ଥ ଅନୁଭବ କରୁଛି । ତେବେ କୁହାଯାଉଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନବୀନ ନିବାସ ଗସ୍ତ ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ । 10 ମିନିଟ ଧରି ଦୁଇ ନେତାଙ୍କ ମଧ୍ୟରେ କେବଳ ସ୍ୱାସ୍ଥ୍ୟ ସମ୍ୱନ୍ଧରେ ନୁହେଁ ବରଂ ରାଜନୈତିକ ଚର୍ଚ୍ଚା ମଧ୍ୟ ହୋଇଥିବାର ସୂଚନା ମିଳିଛି ।
