ରାଜ୍ୟ ରାଜନୀତିରେ ଏବେ ନୂଆପଡାକୁ ନେଇ ଯେତିକି ଚର୍ଚ୍ଚା ଚାଲିଛି, ସେତିକି ଚର୍ଚ୍ଚା ବିଜେଡିର ପୁରୁଣା ଗଡକୁ ନେଇ ବି ଚାଲିଛି । ବିଜେଡିର ପୁରୁଣା ଗଡ ଗଞ୍ଜାମରେ ବିଜେଡି ନେତୃତ୍ୱ ଶୂନ୍ୟ ହୋଇଯାଇଛି । ପୀତବାସ ପଣ୍ଡା ହତ୍ୟା ମାମଲାରେ ଛନ୍ଦି ହୋଇ ଗଞ୍ଜାମ ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଜେଲ ଯିବା ପରେ ଗଞ୍ଜାମ ବିଜେଡି ସ୍ଥିତି ଦୋହଲିଯାଇଛି । ଏବଂ ବିକ୍ରମଙ୍କ ପରେ ନବୀନ କାହାକୁ ଗଞ୍ଜାମ ଦାୟିତ୍ୱ ଦେବେ ସେନେଇ ସସପେନ୍ସ ବଢିଛି ।
ତେବେ ଏକଦା ବିଜେଡିର ବଡ ଗଡ ଭାବେ ପରିଚିତ ଥିଲା ଗଞ୍ଜାମ । କିନ୍ତୁ ୨୦୨୪ ନିର୍ବାଚନରେ ଏ ଗଡ ବିଜେପି ନିଜ ନାଁରେ ଲେଖିଦେଇଛିା ସାଂସଦଙ୍କ ଠାରୁ ଆରମ୍ଭ କରି ବିଧାୟକ ସମସ୍ତେ ବିଜେପିର । କେବଳ ନବୀନ ହିଁ ଏକମାତ୍ର ଆସନ ନିଜ କବଜାରେ ରଖିଛନ୍ତି । କିନ୍ତୁ ଗଞ୍ଜାମରେ ମଧ୍ୟ ନବୀନ ଏତେଟା ସକ୍ରିୟ ନାହାନ୍ତି । ନାହିଁ ଅନ୍ୟ ନେତା ମାନେ ସେଠାରେ ବିଜେଡିର ଦବଦବା ଥିବା ଦର୍ଶାଉଛନ୍ତି । ପୂବତନ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ଚିହ୍ନ ବଣ୍ଣ ଗଞ୍ଜାମରେ ଦେଖିବାକୁ ମିଳୁନଥିବା ବେଳେ ବରିଷ୍ଠ ନେତା ରମେଶ ଚ୍ୟାଉପଟ୍ଟନାୟକଙ୍କ ବୟସ ବଢିଗଲାଣି । ସେହିପରି ଅନ୍ୟ ନେତା ମାନେ ବି ଚୁପ୍ । କେବଳ ଜିଲ୍ଲା ବାହାର ନେତା ଗଞ୍ଜାମରେ ଗର୍ଜନ ଛାଡୁଥିବା ଦେଖିବାକୁ ମିଳୁଛି । ବିକ୍ରମ ପଣ୍ଡାଙ୍କ ଗିରଫଦାରୀ ଘଟଣାରେ ମଧ୍ୟ ଜିଲ୍ଲା ବାହାର ନେତା ସରକାରଙ୍କୁ ପ୍ରଶ୍ନ କରିବା ସହ ଗଞ୍ଜାମରେ ଉପସ୍ଥିତ ଥିବା ନଜର ଆସିଛନ୍ତି । ତେଣୁ ବିକ୍ରମଙ୍କ ପରେ ନବୀନ କାହାକୁ ଗଞ୍ଜାମ ଦାୟିତ୍ୱ ଦେବେ, କେଉଁ ନେତାଙ୍କ ଉପରେ ଭରଷା କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ବିଜେଡିର ବଡ ବଡ ଚେହେରାଙ୍କ ମଧ୍ୟରୁ ନବୀନ କାହାକୁ ବାଛିପାରନ୍ତି ବୋଲି ଆଶଙ୍କା ବଢୁଛି । ତେବେ ଦେଖାଯାଉ ଗଞ୍ଜାମ ଦାୟିତ୍ୱ କାହାକୁ ନବୀନ ଦେଉଛନ୍ତି ଏବଂ କିଏ ଗଞ୍ଜାମରେ ବିଜେଡିର ସ୍ଥିତି ସୁଦୃଢ କରୁଛନ୍ତି ତାହା ତ ସମୟ କହିବ ।
