ମନ୍ଦିରରେ ଲାଗିଛି ପ୍ରବଳ ଭିଡ । ରାଜଧାନୀରୁ ରାୟଗଡା ସବୁଠି ନବୀନଙ୍କ ପାଇଁ ଜଳିଲା ହଜାର ହଜାର ଦୀପ । ଯାହାକୁ ଦେଖିଲେ ନବୀନଙ୍କ ଲୋକପ୍ରିୟତା କେତେ ତାହା ସ୍ପଷ୍ଟ ପ୍ରମାଣିତ ହେଉଛି । ତେବେ ଏହି ଦୀପ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ପ୍ରଶଂସକ ମାନେ ଜାଳିଛନ୍ତି । ଆଜି ମୁମ୍ବାଇ ସ୍ଥିତ କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ସର୍ଭିକାଲ ଆଥ୍ରାଇଟିସ ନାମକ ସମସ୍ୟାର ଅସ୍ତ୍ରୋପଚାର ଥିବାରୁ ତାଙ୍କ ମଙ୍ଗଳ ମନାସିବା ସହ ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ କରାଯାଇଥିବା ଦେଖିବାକୁ ମିଳିଛି । ଗାଁ ଠୁ ସହର ସବୁଠି ମନ୍ଦିରରେ ଭିଡ ଲାଗିବା ସହ ପ୍ରାର୍ଥନା କରାଯାଉଛି ।
ତେବେ ଗତକାଲିଠାରୁ ନବୀନଙ୍କ ପାଇଁ ଦୀପ ପ୍ରଜ୍ୱଳନ କରାଯାଉଛି । ପୁରୀରୁ ଆରମ୍ଭ କରି ରାମମନ୍ଦିର ସବୁଠି ବିଜେଡି ନେତା ଏବଂ କର୍ମୀମାନେ ନବୀନଙ୍କ ପାଇଁ ଦୀପ ଜାଳି ପ୍ରାର୍ଥନା କରାଯାଇଛି । ଫଳରେ ଦୀପମୟ ରାଜଧାନୀ ହୋଇଥିବା ଦେଖିବାକୁ ମିଳିଛି । ତେବେ କେବଳ ଯେ, ବିଜେଡିର କର୍ମକର୍ତାମାନେ ନବୀନଙ୍କ ପାଇଁ ଦୀପ ଜାଳିଛନ୍ତି ତାହା ନୁହେଁ । ଗାଁରେ ମହିଳାମାନେ ମନ୍ଦିରରେ ପୂଜାପାଠ କରି ନବୀନଙ୍କ ପାଇଁ ପ୍ରାର୍ଥନା କରୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।
ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ଭିକାଲ ଆଥ୍ରାଇଟିସ ନାମକ ସମସ୍ୟାରେ ପୀଡିତ ଥିବା ଏବଂ ଏଥିପାଇଁ ସେ ମୁମ୍ବାଇ ଯାଉଥିବା ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସମସ୍ତଙ୍କୁ ସୂଚିତ କରିଥିଲେ । ଏବଂ ଏଥିପାଇଁ ସେ ୨୦ ତାରିଖରୁ ମୁମ୍ବାଇ ଗସ୍ତରେ ରହିଛନ୍ତି । ମୁମ୍ବାଇ ଯିବା ଦିନ ମଧ୍ୟ ନବୀନଙ୍କୁ ବନ୍ଦାପନା କରି ବିଜେଡି ନେତାମାନେ ଏୟାରପୋର୍ଟରେ ବିଦାୟ ଦେଇଥିଲେ । ଆଉ ଏହି ସମୟରେ ନବୀନଙ୍କ ପାଇଁ ଥିବା ଲୋକଙ୍କ ଭଲ ପାଇବା ବି ସାମ୍ନାକୁ ଆସିଥିଲା । ସମସ୍ତଙ୍କ ଆଖିରେ ଲୁହ ଥିବା ବେଳେ ସମସ୍ତେ ତାଙ୍କ ଶୁଭମନାସୁଥିଲେ । ଏବଂ ଶୀଘ୍ର ସୁସ୍ଥ ହୋଇ ଫେରିଆସିବା ପାଇଁ ଆଶା ରଖିଛନ୍ତି । ତେବେ ଆଜି ଅସ୍ତ୍ରୋପଚାର ଥିବା ବେଳେ ସମସ୍ତେ ମନ୍ଦିର ଯାଇ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ଦେଖିବାକୁ ମିଳିଛି ।