ବାରବାଟୀରେ ଭାରତର ବିଜୟକୁ ନେଇ ସବୁଆଡେ ଖୁସିର ମାହୋଲ । ଦକ୍ଷିଣ ଆଫ୍ରିକାଠାରୁ ବଦଲା ନେବା ପରେ ଭାରତୀୟ କ୍ରିକେଟ ଟିମ୍ ସହ କ୍ରିକେଟ ପ୍ରେମୀମାନେ ବି ବେଶ୍ ଖୁସି ଅଛନ୍ତି । କିନ୍ତୁ ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏକ ବୟାନ ବେଶ୍ ଚର୍ଚ୍ଚାରେ ରହିଛି । ମ୍ୟାଚ ପାଇଁ ମୁଖ୍ୟମନ୍ତ୍ରୀ ଲକି ଥିବା ଏବଂ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ତାଙ୍କୁ ଲକି କହିଥିବା ନିଜେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ କହିବାକୁ ନେଇ ନାନା ଚର୍ଚ୍ଚା ଚାଲିଛି । ୯ ମାସ ପୂବରୁ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚ ସମୟରେ ଫ୍ଲଡ ଲାଇଟ କଟିଯିବା, ୨୫ ମିନିଟ ଧରି ମ୍ୟାଚ୍ ବାଧାପ୍ରାପ୍ତ ହେବା କାରଣରୁ ବାରବାଟୀ ଷ୍ଟାଡିୟମ ନିନ୍ଦା ମୁଣ୍ଡାଇଥିଲ।। ଏପରିକି ସରକାରଙ୍କୁ ସମାଲୋଚନା କରାଯିବା ସହ ସରକାରଙ୍କ ପରିଚାଳନା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା । କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ବି ଦାବି କରିଥିଲେ ବିରୋଧୀ । କିନ୍ତୁ ଏଥିରୁ ବର୍ତିବା ପାଇଁ ସରକାର ତଥା କ୍ରୀଡା ମନ୍ତ୍ରୀ ନିଜ ଉପରୁ ଦୋଷ ହଟାଇଦେଇ ଓସିଏକୁ ଦୋଷ ଦେବା ସହ ଏପରି ସାଙ୍ଘାତିକ ତ୍ରୁଟି ନେଇ ଓସିଏକୁ ଜବାବ ତଲବ କରିଥିଲେ । ଏବଂ ଓସିଏ ମଧ୍ୟ ନିଜ ଉପରୁ ଦୋଷ ହଟାଇ ଦେଇ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ନିଜ ହାତ ସଫା କରିଦେଇଥିଲା ।
କିନ୍ତୁ ଏବେ ବାରବାଟୀରେ ଟି ଟ୍ୱେଣ୍ଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିବା ପରେ ନିଜକୁ ପ୍ରଶଂସାରେ ପୋତି ପକାଉଛନ୍ତି ସରକାର । ଯାହାକୁ ନେଇ ସରକାରଙ୍କୁ ପ୍ରଶ୍ନ ଉଠୁଛି । କୌଣସି ତ୍ରୁଟି ହେଲେ ସରକାର ଦୋଷ ନିଜ ଉପରକୁ ନନେଉଥିବା ବେଳେ ସଫଳତାର ଶ୍ରେୟ କିପରି ନେଇଯାଉଛନ୍ତି ତାକୁ ନେଇ ବିଭିନ୍ନ ମହଲ ସହ ବିରୋଧୀ ବି ପ୍ରଶ୍ନ କରୁଛନ୍ତି ।
