ନିମନ୍ତ୍ରଣ କଲେ ମୋହନ ଆସିଲେନି ନବୀନ

ନିମନ୍ତ୍ରଣ କଲେ ମୋହନ ଆସିଲେନି ନବୀନ

ନିମନ୍ତ୍ରଣ କଲେ ମୋହନ ହେଲେ ଆସିଲେନି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗିଛନ୍ତି କି ନବୀନ ପଟ୍ଟନାୟକ ? ହଁ ଆଜ୍ଞା, ଶପଥ ଗ୍ରହଣ ଉତ୍ସବ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତି ଲୋଡିଥାନ୍ତି । ଆଉ ଏହି କ୍ରମରେ ନିର୍ବାଚନ ପରେ ପ୍ରଥମ ବିଧାନସଭା ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସର୍ବଦଳୀୟ ବୈଠକରେ ଉପସ୍ଥିତି ପାଇଁ ନବୀନଙ୍କୁ ତାଙ୍କ ବାସଭବନ ନବୀନ ନିବାସକୁ ଯାଇ ନିମନ୍ତ୍ରଣ କରିଥିଲେ । କିନ୍ତୁ ନିମନ୍ତ୍ରଣ ସତ୍ୱେ ଏହି ବୈଠକରେ ନବୀନ ପଟ୍ଟନାୟକ ଯୋଗ ଦେଇନଥିଲେ । ପୂର୍ବରୁ ନବୀନ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରି ସବୁ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଏପରିକି ବିରୋଧୀ ଆସନରେ ବସିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବରେ ନବୀନ ଯୋଗ ଦେଇଥିଲେ । କିନ୍ତ ବିଧାନସଭା ପୂର୍ବରୁ ସର୍ବ ଦଳୀୟ ବୈଠକରେ ସେ କାହିଁକି ଯୋଗ ଦେଲେନି ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ନବୀନ ଅସନ୍ତୋଷ ଥିବା ଆଶଙ୍କା କରାଯାଉଛି । ତେବେ ନବୀନଙ୍କ ବଦଳରେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସର୍ବ ଦଳୀୟ ବୈଠକରେ ଯୋଗ ଦେଇଥିଲେ । ତେବେ କେବଳ ନବୀନ ନୁହଁନ୍ତି କଂଗ୍ରେସରୁ ମଧ୍ୟ କେହି ବି ଏହି ବୈଠକରେ ଉପସ୍ଥିତ ଥିବା ନଜର ଆସିନାହାନ୍ତି । ବିଧାନସଭାରେ କିଏ କଂଗ୍ରେସର ମଙ୍ଗ ଧରିବ ସେନେଇ ନିଷ୍ପତ୍ତି ହୋଇନଥିବାରୁ ସେମାନେ ଏହି ବୈଠକରୁ ଦୂରରେ ରହିଥିଲେ । କିନ୍ତୁ ବୈଠକ ଶେଷ ହେବା ପରେ କଂଗ୍ରେସ ତାର ବିଧାୟକ ଦଳର ନେତାଙ୍କ ନାଁ ଘୋଷଣା କରିଛି । ତେବେ ଆସନ୍ତାକାଲି ସରକାର ବଦଳିବା ପରେ ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ଦେଖାଯାଉ ବିରୋଧୀ ବିଜେଡି କିପରି ନିଜ ସ୍ୱରକୁ ଶାଣିତ କରୁଛି ଏବଂ ଶାସକ ଦଳର କିପରି ଜବାବ ରଖୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *