ନିର୍ବାଚନ ଲଢିବେନି ବିଜେପିର ଟାଣୁଆ ନେତା !

ନିର୍ବାଚନ ଲଢିବେନି ବିଜେପିର ଟାଣୁଆ ନେତା !

ଆଗାମୀ ନିର୍ବାଚନ ପାଇଁ ଆକଟିଭ ମୋଡରେ ବିଜେପି, ବିଜେଡି ଓ କଂଗ୍ରେସ । ବିଶେଷ କରି ସମସ୍ତଙ୍କ ନଜର ରହିଛି ପଶ୍ଚିମ ଓଡିଶା ଉପରେ । ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର ଏମିତିକି କଂଗ୍ରେସ ମଧ୍ୟ ପଶ୍ଚିମ ଓଡିଶାକୁ ଫୋକସରେ ରଖିଛନ୍ତି । ଏପଟେ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ସମ୍ବଲପୁର ନିର୍ବାଚନ ମଣ୍ଡଳୀ । ସମ୍ବଲପୁର ବିଧାନସଭା ଆସନରେ ବିଜେପିର ମଙ୍ଗ କିଏ ଧରିବ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ଏହି ଆସନରେ ବର୍ତ୍ତମାନ ବିଧାୟକ ଅଛନ୍ତି ବିଜେପିର ଟାଣୁଆ ନେତା ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ହେଲେ ୨୪ ନିର୍ବାଚନରେ ଜୟନାରାୟଣଙ୍କ ଭୂମିକା କଣ ହେବ ତା ଉପରେ ରହିଛି ରାଜ୍ୟବାସୀଙ୍କ ନଜର । ବିଶେଷ କରି ଆସନ୍ତା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରିବେ କି ନାହିଁ ତାହାକୁ ନେଇ ଆଲୋଚନା ଆରମ୍ଭ ହେଲାଣି । ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି କି ଆଗାମୀ ନିର୍ବାଚନରେ ଜୟନାରାୟଣଙ୍କ ସ୍ଥାନ ନେଇପାରନ୍ତି ତାଙ୍କ ଝିଅ ଶୁଭଶ୍ରୀ ମିଶ୍ର । ତେବେ ଏଭଳି ଚର୍ଚ୍ଚାର ମୁଖ୍ୟ କାରଣ ହେଉଛି ନିର୍ବାଚନମଣ୍ଡଳୀରେ ଶୁଭଶ୍ରୀଙ୍କ ସକ୍ରିୟତା । ବିଭିନ୍ନ ସଭାସମିତି ଓ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଓ ଲୋକ ସମ୍ପର୍କ ବଢାଇବା ଆଦି ଶୁଭଶ୍ରୀଙ୍କ ରାଜନୀତିରେ ପ୍ରବେଶର ଇସାରା ଦେଉଛି ।

ଏହି ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାରୁ ୩ ଥର ବିଜୟ ଲାଭ କରିଛନ୍ତି ବିଧାୟକ ଜୟନାରାୟଣ । ୨୦୧୪ ମସିହାରେ ସେ ପରାଜୟର ସମ୍ମୁଖୀନ ହୋଇଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ସେ ପୁଣି ପାୱାରକୁ ଆସିଥିଲେ । ତେବେ ସ୍ୱାସ୍ଥ୍ୟଗତ କାରଣରୁ ଆଗାମୀ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରିବେ କି ସେନେଇ କିଛି ବି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । କିନ୍ତୁ ସମ୍ବଲପୁର ବିଧାନସଭାରୁ କିଏ ବିଜେପି ପ୍ରାର୍ଥୀ ହେବ ? ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଶୁଭଶ୍ରୀଙ୍କ ଏଭଳି ସକ୍ରିୟତା ସମ୍ବଲପୁର ରାଜନୀତିକୁ ସରଗରମ କରିଛି ।

author

Related Articles

Leave a Reply

Your email address will not be published. Required fields are marked *