ନୀଳଗିରିରେ ପୁରୁଣା ନେତାଙ୍କ ନୂଆ ଲଢେଇ

ନୀଳଗିରିରେ ପୁରୁଣା ନେତାଙ୍କ ନୂଆ ଲଢେଇ

ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ସମୟରେ ସବୁଠୁ ପଛରେ ରହିଥିଲା ନୀଳଗିରି ବିଧାନସଭା ଆସନ । ଏହି ଆସନରେ କାହାକୁ ଟିକେଟ ମିଳିବ କାହାକୁ ନାଇଁ ସେନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ଶେଷ ଯାଏଁ ଏହି ଆସନ ପାଇଁ ଛକାପଞ୍ଝାରେ ଥିଲେ ବିଜେଡି ଏବଂ ବିଜେପି । କିନ୍ତୁ ଶେଷରେ ଏହି ଆସନ ପାଇଁ ଦାବିଦାର ଥିବା ଦୁଇ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ମିଳିଛି ସତ କିନ୍ତୁ ଭିନ୍ନ ଭିନ୍ନ ଦଳରୁ । ବିଜେଡିରୁ ବିଜେଡି ନେତା ସୁକାନ୍ତ ନାୟକଙ୍କୁ ଟିକେଟ ମିଳିଥିବା ବେଳେ ବିଜେଡି ଟିକେଟ ପାଇଁ ଅନ୍ୟତମ ଆଶାୟୀ ଥିବା ସନ୍ତୋଷ ଖଟୁଆଙ୍କୁ ବିଜେପି ପ୍ରାର୍ଥୀ କରିଛି । ତେବେ ଗତଥର ଏହି ଆସନରୁ ବିଜେଡିରୁ ସନ୍ତୋଷ ଖଟୁଆ ଏବଂ ବିଜେପିରୁ ସୁକାନ୍ତ ନାୟକ ପ୍ରତିଦ୍ୱନ୍ଦୀ ଭାବରେ ଛିଡା ହୋଇଥିଲେ । ଉଭୟଙ୍କ ମଧ୍ୟରେ ଜୋରଦାର ଟକ୍କର ମଧ୍ୟ ହୋଇଥିଲା । ମାତ୍ର ୧୫ଶହ ଭୋଟର ବ୍ୟବଧାନରେ ସନ୍ତୋଷ ଖଟୁଆ ଏଠାରେ ପରାଜିତ ହୋଇଥିଲେ । ଏବଂ ସୁକାନ୍ତ ନାୟକ ବିଜେପିରୁ ଏଠାରେ ବିଜୟୀ ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନ ପୂର୍ବରୁ ସୁକାନ୍ତ ବିଜେପି ଛାଡି ନିଜ ପୁରୁଣା ଘର ବିଜେଡିକୁ ଫେରିଛନ୍ତି । ଏବଂ ଟିକେଟ ମଧ୍ୟ ହାତେଇଛନ୍ତି । ତେବେ ସୁକାନ୍ତ ୨୦୧୪ ନିର୍ବାଚନରେ ବିଜେଡି ଟିକେଟରୁ ଏଠାରେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ ନିର୍ବାଚନ ବେଳକୁ ସେ ବିଜେପିକୁ ଚାଲି ଯାଇଥିଲେ । ଏବଂ ବିଜେପିରୁ ଏହି ଆସନ ପାଇଁ ପ୍ରାର୍ଥୀ ହୋଇ ନୀଳଗିରି ଆସନରେ ବିଜେପିର ବିଜୟ ରଥ ଗଡାଇଥିଲେ । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ସେ ପୁଣି ଥରେ ବିଜେଡିକୁ ଆସି ଟିକେଟ ହାତେଇଛନ୍ତି । କିନ୍ତୁ ଦଳ ବଦଳ ନେତାଙ୍କୁ ଟିକେଟ ଦେବା ନିଷ୍ପତ୍ତି ଉପରେ ଖପ୍ପା ରହି ବିଜେଡି ନେତା ସନ୍ତୋଷ ଖଟୁଆ ବିଦ୍ରୋହ କରିବା ସହ ବିଜେଡି ଛାଡି ବିଜେପିରେ ସାମିଲ ହୋଇ ସୁକାନ୍ତଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇଛନ୍ତି । ତେବେ ଏହି ଦୁଇ ନେତା ପୂର୍ବରୁ ପରସ୍ପରର ପ୍ରତିଦ୍ୱନ୍ଦୀ ହୋଇଥିବା ବେଳେ ଚଳିତ ଥର ମଧ୍ୟ ବିରୋଧୀ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି । ଦେଖାଯାଉ ଏଥର କାହାକୁ ଜନତା ନିଜ ନେତାଭାବେ ବାଛୁଛନ୍ତି ଏବଂ କାହାର ବିଜୟ ରଥ ଏଠାରେ ଗଡୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *