ପଛରେ ପଡିଲା ବିଜେପି-କଂଗ୍ରେସ …!

ପଛରେ ପଡିଲା ବିଜେପି-କଂଗ୍ରେସ …!

ସବୁଠୁ ପଛରେ ପଡିଲା ବିଜେପି । ବିଜେପିଠୁ କାଇଁ କେତେ ଆଗରେ ରହି ବାଜିମାତ୍ କଲା ବିଜେଡି । ହଁ ଆଜ୍ଞା, ୨୦୨୪ ନିର୍ବାଚନ ଅନୁଷ୍ଠିତ ହେବାର ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲାଣି । କିନ୍ତୁ ଏବେ ବି ୨୦୨୪ ନିର୍ବାଚନକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଆଉ ଏବେ ୨୦୨୪ରେ ଉଭୟ ଲୋକସଭା ଏବଂ ବିଧାନସଭା ନିବାଚନରେ ସମସ୍ତ ରାଜନୈତିକ ଦଳ ଡିଜିଟାଲ ପ୍ରଚାରରେ ଖର୍ଚ୍ଚ କରିଥିବା ଟଙ୍କାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ସମସ୍ତଙ୍କୁ ପଛରେ ପକାଇ ଆଗରେ ରହିଛି ବିଜେଡି ।

ତେବେ ଏଡିଆର ବା ଏସୋସିଏସନ୍ ଫର ଡିମୋକ୍ରାଟିକ୍ ରିଫର୍ମ୍ସ ରିପୋର୍ଟରେ ଏ ତଥ୍ୟ ସାମ୍ନାକୁ ଆସିଛି । ନିବାଚନରେ ହୋଇଥିବା ଡିଜିଟାଲ ପ୍ରଚାର ବାବଦରେ ବିଜୁ ଜନତା ଦଳ ଏକାକୀ ୮୩ ଦଶମିକ ୩ କୋଟି ଟଙ୍କା ଖର୍ଚ୍ଚ କରିଛି । ସୋସିଆଲ ମିଡିଆରେ ପ୍ରଚାର ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ବିଜେଡି । ସେହି ତୁଳନାରେ କଂଗ୍ରେସ ଡିଜିଟାଲ ପ୍ରଚାର ପାଇଁ ୪୭.୬୯ କୋଟି ଟଙ୍କା ଖର୍ଚ୍ଚ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି । କିନ୍ତୁ ଏହି ଦୁଇଟି ଦଳ ତୁଳନାରେ ବିଜେପି ବହୁ ପଛରେ ପଡିଯାଇଛି । ଡିଜିଟାଲ ପ୍ରଚାର କ୍ଷେତ୍ରରେ ବିଜେପି ମାତ୍ର ୧ କୋଟି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ତଥ୍ୟ ସାମ୍ନାକୁ ଆସିଛି ।

ଅନ୍ୟପଟେ ୨୦୨୪ ନିର୍ବାଚନରେ ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳ ଖର୍ଚ୍ଚ କରିଛନ୍ତି ୩୩୫୨.୮୧ କୋଟି । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ୨୭୮ କୋଟି ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ସେହି ତୁଳନାରେ ବିଜେପି ସର୍ବାଧିକ ୧୪ଶହ ୯୪ କୋଟି ଟଙ୍କା ଖର୍ଚ୍ଚ କରିଛି । ଯାହା ରାଜନୈତିକ ଦଳମାନଙ୍କ ଦ୍ବାରା ମୋଟ୍ ନିର୍ବାଚନ ଖର୍ଚ୍ଚର ୪୪.୫୬ ପ୍ରତିଶତ । ବିଜେପି ପଛକୁ କଂଗ୍ରେସ ୨୦୨୪ ନିର୍ବାଚନରେ ୬୨୦ କୋଟି ଟଙ୍କା ଖର୍ଚ୍ଚ କରି ଦ୍ବିତୀୟ ସ୍ଥାନରେ ରହିଛି । କଂଗ୍ରେସର ନିର୍ବାଚନ ଖର୍ଚ୍ଚ ମୋଟ୍ ନିର୍ବାଚନ ଖର୍ଚ୍ଚର ୧୮.୫ ପ୍ରତିଶତ । ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳ ଗୁଡ଼ିକର ତଥ୍ୟ ଆକଳନ କରି ଏଡିଆର୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ତେବେ କେବଳ ଏତିକି ନୁହେଁ, ଖର୍ଚ୍ଚ ବାଦ ବିଜେପି ଏବଂ କଂଗ୍ରେସ ଚାନ୍ଦା ବାବଦକୁ କୋଟି କୋଟି ଟଙ୍କା ପାଇଥିବା ସୂଚନା ରହିଛି । ବିଜେପି ଚାନ୍ଦା ବାବଦରେ ୬୨୬୮ କୋଟି ଟଙ୍କା ପାଇଥିବା ବେଳେ କଂଗ୍ରେସ ୫୯୨.୪୮ କୋଟି ଟଙ୍କା ହାସଲ କରିଛି । କିନ୍ତୁ ବିଜେଡିକୁ ସେପରି କୌଣସି ଚାନ୍ଦା ମିଳିନଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *