ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ସାରା ଦେଶରେ ଚହଳ ସୃଷ୍ଟି ହୋଇଛି । ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୁର୍ଗାପୁର ପୋଲିସ ଛାନବିନ ଆରମ୍ଭ କରିଛି ଏବଂ ତିନିଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ସେହିପରି ଆଉ ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଘଟଣା ସ୍ଥଳରେ ଦୁର୍ଗାପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗରେ ତୀବ୍ର ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି ।
ସୂଚନା ମୁତାବକ ଶୁକ୍ରାବାର ରାତି ପ୍ରାୟ ୮ଟା ବେଳେ କ୍ୟାମ୍ପସ ସାମ୍ନାରୁ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଟାଣି ନେଇ ଗଣଦୁଷ୍କର୍ମ କରା ଯାଇଥିଲା। ପୀଡ଼ିତା ଜଣକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଘର ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରେ। ଅନ୍ୟପଟେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ବାପାଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମବେଦନା ଜଣାଇବା ସହିତ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ସେହିପରି ଘଟଣାରେ ହସ୍ତକ୍ଷେପ ପାଇଁ ପଶ୍ଚିମବଙ୍ଗ ଡାକ୍ତର ସଂଘ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଛନ୍ତି। ସେହିପରି ମମତା ବାନାର୍ଜୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି। ଘଟଣା ସ୍ଥଳ ବୁଲି ଦେଖିଛନ୍ତି ମହିଳା କମିଶନ। ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ସମେତ ବିଜେପି ଓ ବାମପନ୍ଥୀମାନେ ଆନ୍ଦୋଳନ କରିଛନ୍ତି।
