ପୁଣିଥରେ ଦେବୀ ଭାଇ ନାରାରେ କମ୍ପୁଛି ବାଙ୍କୀ

ପୁଣିଥରେ ଦେବୀ ଭାଇ ନାରାରେ କମ୍ପୁଛି ବାଙ୍କୀ

କଟକ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ବାଙ୍କି । ବାଙ୍କି ଗଡରେ ରାଜ କରୁଛନ୍ତି ବିଜେଡିର ଭେଟରାନ ନେତା ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ । 2000 ମସିହାରୁ ବିଜେଡି ଦଖଲରେ ରହିଛି ବାଙ୍କୀ ଗଡ । ଥରୁଟିଏ ମାତ୍ର କଂଗ୍ରେସରୁ ଦେବାଶିଷ ପଟ୍ଟନାୟକ ବିଜୟ ବାନା ଉଡାଇବାର ସୁଯୋଗ ପାଇଥିଲେ ଏହାପରେ ପୁଣିଥରେ ପ୍ରଭାତଙ୍କ ହାତକୁ ଚାଲିଯାଇଥିଲା ବାଙ୍କୀ ଗଡ । 2019 ନିର୍ବାଚନରେ ବାପା ନିର୍ବାଚନ ନ ଲଢି ପୁଅକୁ ମଇଦାନକୁ ଓହ୍ଲାଇଥିଲେ ଏବଂ ବାଙ୍କି ଗଡରେ ବିଜୟର ଧ୍ୱଜା ଉଡାଇଥିଲେ ଦେବୀ ରଞ୍ଜନ ତ୍ରିପାଠୀ । ପୁଣିଥରେ ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ  ଟିକେଟ ଦେଇଛନ୍ତି । ମା ଚର୍ଚ୍ଚିକାଙ୍କ ଆର୍ଶୀବାଦ ନେଇ ପୁଣିଥରେ ବାଙ୍କୀ ବାସୀଙ୍କ ଭରସା ଜିତିବା ପାଇଁ ବିଜୁ ଜନତା ଦଳର ଯୁବ ନେତା ଦେବୀ ରଞ୍ଜନ ପ୍ରଚାର ମଇଦାନରେ । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ଏବଂ ନିଜେ ବିଗତ ପାଞ୍ଚ ବର୍ଷରେ ଯେଉଁ ବିକାଶ କରିଛନ୍ତି ତାହାର ରିପୋର୍ଟ କାର୍ଡ ଧରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ଏହି ଆସନରେ କଂଗ୍ରେସ ଥରୁଟିଏ ବାଜିମାତ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ବାଙ୍କୀ ଗଡରେ ପଦ୍ମ ଫୁଟିପାରିନାହିଁ । ଦେବୀଙ୍କ ଗଡକୁ ହାତେଇବାକୁ ଚେଷ୍ଟା କରୁଛନ୍ତି ବାଙ୍କୀ ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ । ପ୍ରଥମ ଥର ପାଇଁ ବିଜେପି ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଇଛି । ଶଙ୍ଖ ଗଡରେ ପଦ୍ମ ଫୁଟାଇବା ପାଇଁ ଜୋର ଧରିଲାଣି ତୁଷାରଙ୍କ ପ୍ରଚାର । ଅନ୍ୟପଟେ କଂଗ୍ରେସରୁ ଦେବାଶିଷ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରିଆସୁଛନ୍ତି ସତ କିନ୍ତୁ ଗୋଟିଏ ଥର ବିଜୟ ବାନା ଉଡାଇବା ପରେ ଆଉ ଏହି ଆସନରେ ବିଜୟ ବାନା ଉଡାଇବାକୁ ତାଙ୍କୁ ସୁଯୋଗ ମିଳିନି । ପରିବର୍ତ୍ତନର ନାରା ଦେଉଥିବା ବିଜେପି ସରକାର ବିରୋଧୀ କିଛି ମୁଦ୍ଧା ନେଇ ଏବେ ସାଧାରଣ ଜନତାଙ୍କ ମନ କିଣୁଛି । ଆଗାମୀ ସାଧାରଣ ନିର୍ବାଚନରେ କାହାକୁ ଭରସା କରିବେ ବାଙ୍କୀ ବାସୀ । ଶଙ୍ଖ ଫୁଙ୍କିବେ, ନା ପଦ୍ମ ଫୁଟାଇବେ କି ହାତ କୁ ଆର୍ଶୀବାଦ କରିବେ ତାହା ଉପରେ ସଭିଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *