ପୁଣି ଗୋଟିଏ ମଞ୍ଚରେ ବସିବେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ । ପୁରୀରୁ ନବୀନଙ୍କୁ ଆସିଲା ନିମନ୍ତ୍ରଣ । ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଏଥିରେ ସାମିଲ ହେବାନେଇ ନିମନ୍ତ୍ରଣ ପତ୍ର ବଣ୍ଟା ହେବା ଆରମ୍ଭ ହୋଇଗଲାଣି । ଆଉ ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରୀର ଛତିଶା ନିଯୋଗ ସେବାୟତମାନେ ରଥଯାତ୍ରାରେ ସାମିଲ ହେବା ନେଇ ଆମନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟିବା ସହ ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ ନବୀନଙ୍କୁ ଆମନ୍ତ୍ରଣ କରିଥିଲେ । ଏହା ସହ ତାଙ୍କ ସମୟରେ ହୋଇଥିବା ପୁରୀର ବିକାଶକୁ ମଧ୍ୟ ପ୍ରଶଂସା କରିଥିଲେ ।
ପୁରୀର ବିକାଶ ପାଇଁ ନବୀନଙ୍କ ଅବଦାନକୁ କେବେ ବି ଭୁଲି ହେବନି ବୋଲି କହି ନବୀନଙ୍କୁ ଶ୍ରୀମନ୍ଦିରର ସେବାୟତମାନେ ଆମନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି । ତେବେ ବିଜେଡି ସୁପ୍ରିମୋ ସେବାୟତମାନଙ୍କୁ ଭେଟିବା ସହ ସେମାନଙ୍କ ଆମନ୍ତ୍ରଣ ଗ୍ରହଣ କରିଥିଲେ । ଏବଂ ରଥ ଯାତ୍ରାରେ ସାମିଲ ହେବା ନେଇ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି ।
ତେବେ ପୂବ ଥର ମଧ୍ୟ ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥ ଯାତ୍ରାରେ ସାମିଲ ହୋଇଥିଲେ । ପ୍ରଥମ ଥର ବିରୋଧୀ ଆସନରେ ବସିବା ପରେ ନବୀନ ରଥ ଯାତ୍ରାରେ ସାମିଲ ହୋଇଥିଲେ । ଶାସକ ବିଜେପିର ନେତାମାନେ ମଞ୍ଚ ଉପରେ ବସିଥିବା ବେଳେ ମଞ୍ଚ ତଳେ ଛିଡା ହୋଇ ସମସ୍ତଙ୍କୁ ନମସ୍କାର କରିବା ସହ ରଥଯାତ୍ରାରେ ଯୋଗ ଦେଇଥିଲେ । ଆଉ ଏଥର ମଧ୍ୟ ନବୀନଙ୍କୁ ଆମନ୍ତ୍ରଣ କରାଯାଇଛି । ତେବେ ଦେଖାଯାଉ ନବୀନଙ୍କୁ ରଥ ଯାତ୍ରାରେ ଦେଖିବା ପରେ ଶାସକ ଦଳର ନେତା ତାଙ୍କୁ କିପରି ସ୍ୱାଗତ କରୁଛନ୍ତି ଏବଂ ପୁଣି ଥରେ ଗୋଟିଏ ମଞ୍ଚରେ ନବୀନ ମୋହନଙ୍କୁ ଦେଖିବାକୁ ମିଳୁଛି ନା ନାହିଁ ।