ରାଜ୍ୟ ରାଜନୀତିରେ ଏବେ ବି କିଛି ବିଧାନସଭା ଆସନ କଂଗ୍ରେସର ଗଡ ହୋଇ ରହିଛି । ସେହିପରି ଗୋଟିଏ ବିଧାନସଭା କ୍ଷେତ୍ର ହେଉଛି କଟକ ବାରବାଟୀ ବିଧାନସଭା ଆସନ । କଂଗ୍ରେସର ଟାଣୁଆ ନେତା ମହମ୍ମଦ ମୋକିମ ଏଠାରୁ ହ୍ୟାଟ୍ରିକ କରିଆସୁଥିଲେ । କିନ୍ତୁ ମୋକିମଙ୍କ ଉପରେ କୋର୍ଟ ବ୍ରେକ ଲଗାଇବା ପରେ ନିଜ ସେ ନିଜ ଝିଅକୁ ମଇଦାନକୁ ଓହ୍ଲାଇଛନ୍ତି । ଜଣେ ଯୁବ ଚେହେରାଙ୍କୁ ପ୍ରାର୍ଥୀ କରାଇଛି ଓଡିଶା କଂଗ୍ରେସ । ବାପାଙ୍କ ଗଡ ସମ୍ଭାଳିବା ପାଇଁ ଅଣ୍ଟା ଭିଡିଛନ୍ତି ଝିଅ ସୋଫିଆ । ଜଣେ ନବାଗତା ଭାବରେ ସେ ଲୋକମାନଙ୍କ ପାଖରେ ପହଞ୍ଚି ନିଜର ସଙ୍ଗଠନକୁ ବଢାଇବା ସହ ଜନସମ୍ପର୍କ ବୃଦ୍ଧି କରୁଛନ୍ତି ଏବଂ ବାପା କରିଥିବା ବିକାଶର ରିପୋର୍ଟ କାର୍ଡ ଧରି ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି । ଅନ୍ୟପଟେ ବିଜେପି ଛାଡି ବିଜେଡିରେ ମିଶିଥିବା ସାଲେପୁର ବିଧାନସଭା ପ୍ରାର୍ଥୀ ପ୍ରକାଶ ବେହେରାଙ୍କୁ ବିଜୁ ଜନତା ଦଳ କଟକ ବାରବାଟୀ ଆସନରୁ ପ୍ରାର୍ଥୀ କରାଇଛି ।
ଜଣେ ରାଜନୀତିରେ ଅଭିଜ୍ଞ ହୋଇଥିବା ବେଳେ ଅନ୍ୟଜଣେ ରାଜନୀତିରେ ନୂଆ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ପ୍ରକାଶ ବେହେରା ପୂର୍ବରୁ ବିଜେପି ଟିକେଟରେ ସାଲେପୁରରୁ ଲଢି ଆସୁଥିଲେ କିନ୍ତୁ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ତାଙ୍କୁ ବାରବାଟୀ ଆସନ ମିଳିଛି । ବିଜେଡି ଦଳରେ ସେ ନୂଆ ହୋଇଥିଲେ ମଧ୍ୟ ରାଜନୀତିରେ ବେଶ ଅଭିଜ୍ଞ । ନିର୍ବାଚନକୁ ଦିନ କେଇଟା ବାକି ଥିବା ବେଳେ କଂଗ୍ରେସ ପୁଣିଥରେ ନିଜର ଗଡ ଫେରି ପାଇବା ପାଇଁ ସୋଫିଆ ଫିର୍ଦ୍ଦୋସଙ୍କୁ ଟିକେଟ ଦେଇ ମାଷ୍ଟର ପ୍ଲାନ କରିଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ସାଧାରଣ ନିର୍ବାଚନରେ କଟକ ବାରବାଟୀ ବିଧାନସଭାରେ ନବାଗତା ବନାମ ଅଭିଜ୍ଞଙ୍କ ଏହି ମହାଯୁଦ୍ଧରେ କିଏ ପିନ୍ଧିବ ବିଜୟର ସୁନା ମୁକୁଟ ।