ପ୍ରଭୁ ଶ୍ରୀରାମଙ୍କୁ ନେଇ ରାଜନୀତି !

ପ୍ରଭୁ ଶ୍ରୀରାମଙ୍କୁ ନେଇ ରାଜନୀତି !


ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । କିନ୍ତୁ ଏହି ଭବ୍ୟ ଉତ୍ସବ ପୂବରୁ ହିଁ ଅନେକ ରାଜନୈତିକ ବିବାଦ ଦେଖିବାକୁ ମିଳିଛି । ଆସନ୍ତାବର୍ଷ ଲୋକସଭା ନିର୍ବାଚନ ଥିବା ବେଳେ ବିଜେପି ରାମ ମନ୍ଦିର କାର୍ଡ ଖେଳିବା ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରୁ ବାରି ହୋଇପଡ଼ୁଛି। ଯାହାକୁ ନେଇ ବିରୋଧୀ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଏହି ଉତ୍ସବରେ ଯୋଗଦାନ କରିବା ପାଇଁ ବିଭିନ୍ନ ପ୍ରାନ୍ତରୁ ଅନେକ ଅତିଥିମାନଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି । କିନ୍ତୁ ବିରୋଧୀ ଦଳ ନେତାଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ଓ ସେମାନଙ୍କ ଆଭିମୁଖ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସିପିଆଇ(ଏମ) ନେତା ବ୍ରିନ୍ଦା କରାତ ୨୨ ତାରିଖ ରାମ ମନ୍ଦିର କାର୍ଯ୍ୟକ୍ରମକୁ ରାଜନୀତିକରଣ କରାଯାଉଥିବାରୁ ତାଙ୍କ ଦଳ ଏଥିରେ ସାମିଲ ହେବନି ବୋଲି କହିଛନ୍ତି। ସେ କହିଛନ୍ତି, “ଆମେ କାର୍ଯ୍ୟକ୍ରମକୁ ଯିବୁ ନାହିଁ। ଆମେ ଧାର୍ମିକ ବିଶ୍ୱାସକୁ ସମ୍ମାନ କରୁ। କିନ୍ତୁ ସେମାନେ(ବିଜେପି) ଧାର୍ମିକ କାର୍ଯ୍ୟକ୍ରମକୁ ରାଜନୀତି ସହ ଯୋଡ଼ିଛନ୍ତି।

ଧର୍ମକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରିବା କିମ୍ବା ଏହାକୁ ରାଜନୀତିକ ଏଜେଣ୍ଡା କରିବା ଠିକ ନୁହେଁ।” ୨୦୨୪ରେ ରାମ ମନ୍ଦିରକୁ ମୁଖ୍ୟ ଅସ୍ତ୍ର କରିବା ମୁଡରେ ଥିବା ବିଜେପି କରାତଙ୍କ ଏପରି ବୟାନର ଦୃଢ଼ ଜବାବ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି କହିଛନ୍ତି, “ନିମନ୍ତ୍ରଣପତ୍ର ସମସ୍ତଙ୍କ ପାଖକୁ ପଠାଯାଇଛି। କିନ୍ତୁ ଭଗବାନ ରାମ ଯେଉଁମାନଙ୍କୁ ଡାକିବେ, କେବଳ ସେମାନେ ହିଁ ଆସିବେ।”କେବଳ ବାମପନ୍ଥୀ ନେତାମାନେ ରାମ ମନ୍ଦିର ନିମନ୍ତ୍ରଣକୁ ଅଗ୍ରାହ୍ୟ କରି ନାହାନ୍ତି। ପୂର୍ବତନ କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି, “ଭଗବାନ ରାମ ମୋ ହୃଦୟରେ ଅଛନ୍ତି। ତେଣୁ ମୁଁ ଭାବୁଛି କୌଣସି କାର‌୍ୟ୍ୟକ୍ରମରେ ଯୋଗ ଦେବାର ଆବଶ୍ୟକ ନାହିଁ।ନିର୍ବାଚନ ପୂର୍ବରୁ ବିଜେପି ଶକ୍ତିପ୍ରଦର୍ଶନ କରିବାର ଏହା ଏକ ମାଧ୍ୟମ। ମୁଁ ଆପଣଙ୍କୁ ଯାହା ବି କହିଛି ମୋ ହୃଦୟରୁ କହିଛି। କାରଣ ଏସବୁ ଜିନିଷକୁ ମୁଁ ଖାତିର କରେନାହିଁ। ଯଦି ରାମ ମୋ ହୃଦୟରେ ଅଛନ୍ତି, ତା’ହେଲେ ମୋ ଯାତ୍ରାରେ ସେ ମୋତେ ରାସ୍ତା ଦେଖାଇବେ।”କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ, ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାମ ମନ୍ଦିର କାର‌୍ୟ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଛି। କିନ୍ତୁ ରାହୁଲ ଗାନ୍ଧିଙ୍କୁ ନିମନ୍ତ୍ରଣ ମିଳିଛି କି ନାହିଁ, ସେକଥା ସ୍ପଷ୍ଟ ହୋଇନାହିଁ।କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ନିମନ୍ତ୍ରଣ ମିଳିବା କଥାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ଆମେ ଆମ ଦଳର ଆଭିମୁଖ୍ୟ ଜଣାଇବୁ। ସେମାନେ ଆମକୁ ଡାକିଛନ୍ତି। ନିମନ୍ତ୍ରଣମାନେ ସେମାନଙ୍କ ନିକଟରେ କୃତଜ୍ଞ। ଦେଖାଯାଉ ଆଗକୁ କଣ ହେଉଛି। ତେବେ ଏହି ଭବ୍ୟ ଉତ୍ସବ ପାଇଁ ସାରା ଦେଶବାସୀ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହାକୁ ନେଇ ବିରୋଧୀଙ୍କ ଏଭଳି ମନ୍ତବ୍ୟ ନିବାଚନର ଫଳାଫଳ ଉପରେ କଣ ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା ।


author

Related Articles

Leave a Reply

Your email address will not be published. Required fields are marked *