ଓଡିଶା ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ଏବେ ପର୍ଯ୍ୟନ୍ତ କମିନି ନବୀନଙ୍କ କ୍ରେଜ । ଆଜିହି ସାଧାରଣ ଜନତାଙ୍କ ମୁହଁରେ ଗୋଟିଏ ନାଁ ନବୀନ ପଟ୍ଟନାୟକ । କ୍ଷମତାଚ୍ୟୁତ ହେବା ପରେ ହାତରୁ ସିନା କ୍ଷମତା ଖସିଯାଇଛି କିନ୍ତୁ ଲୋକପ୍ରିୟତା କମୁନି । ହେଲେ ନବୀନଙ୍କ ପାଇଁ ଏବେ ବଡ ଚ୍ୟାଲେଞ୍ଜ ସାଜିଛି ନିଜ ଦଳକୁ ଆୟତ୍ତ କରିବା । କାହିଁକିନା ନବୀନଙ୍କ କାନ୍ଧରୁ କ୍ଷମତା ଖସିବା ପରେ ନବୀନଙ୍କ ନାଲି ଆଖିକୁ ଆଉ କାହାର ଖାତିର ନାହିଁ । ବିଜେଡି ପରାଜୟର କାରଣ ପାଇଁ ସମସ୍ତେ ଭିକେ ପାଣ୍ଡିଆନ ଓ ବବି ଦାସଙ୍କୁ ଦାୟୀ କରୁଥିବା ବେଳେ ନବୀନ ପଟ୍ଟନାୟକ ଏହା ବିରୁଦ୍ଧରେ ରହିଛନ୍ତି । ହାରିବା ପରେ ଦଳର ସମସ୍ତ ପୁରୁଣା କମିଟିକୁ ଭାଙ୍ଗି ନୂଆ କମିଟି ଗଠନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ନେତାଙ୍କୁ ସାମ୍ନାକୁ ଆଣଇଛନ୍ତି । ତଥାପି ଅସନ୍ତୁଷ୍ଟ ନେତାମାନଙ୍କର ଦଳରେ ଅଭାବ ନାହିଁ । ଜଣେ ପରେ ଜଣେ ନେତା ବିଜେଡିରେ ଅଣଦେଖା ହେବାର କାରଣ ଦର୍ଶାଇ ଦଳରୁ କରଛଡା ଦେଉଛନ୍ତି । ଏବଂ କ୍ଷମତାରେ ନଥିବା ବବିଙ୍କ ନାଁରେ ଆଣୁଛନ୍ତି ସଙ୍ଗୀନ ଅଭିଯୋଗ । କାହିଁକିନା ନୂଆ କମିଟି ଗଠନ ହେବା ପରେ କୌଣସି କମିଟିରେ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲାଉଥିବା ପ୍ରଣବ ପ୍ରକାଶ ଦାସଙ୍କୁ କୌଣସି କମିଟିରେ ସ୍ଥାନ ମିଳିନାହିଁ । ଏବଂ ସେ ପ୍ରଚ୍ଛଦ ପଟରେ ରହି ଦାୟିତ୍ୱ ତୁଲାଉଥିବାର ଚର୍ଚ୍ଚା ହେଉଛି । ତେବେ କାହିଁକି ବବିଙ୍କୁ ସିକ୍ରେଟ ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ ? ଏହି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଗୋଟିଏ ପଟେ ଚର୍ଚ୍ଚା ହେଉଛି କି ବିଜେଡିର କୌଣସି କମିଟିରେ ନଥିବା ବବି ପ୍ରଚ୍ଚଦ ପଟରେ ରହି ବିଜେଡିର ସମସ୍ତ ନିଷ୍ପତ୍ତି ନେଉଛନ୍ତି ତ ଅନ୍ୟପଟେ କୁହାଯାଉଛି କି ପୂର୍ବପରି ଆଉ କ୍ଷମତାରେ ନାହାନ୍ତି ବିଜେଡିର ପୂର୍ବତନ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଯଦି ଦେଖିବା ବବିଙ୍କ ସ୍ଥାନ ନେବା ପାଇଁ ବିଜେଡିରେ ଅନେକ ଆଶାୟୀ ନେତୃବୃନ୍ଦ ରହିଛନ୍ତି କିନ୍ତୁ ଏବେ ପର୍ଯ୍ୟନ୍ତ ବିଜେଡିରେ କାହାକୁ ମଧ୍ୟ ସାଙ୍ଗଠନିକ ସଂପାଦକ ପଦବୀ ନମିଳିବା ନବୀନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ତେବେ ପ୍ରଣବଙ୍କୁ ନେଇ ଅଙ୍କ କଶୁଥିବା ନବୀନ କେବେ ଏହାର ସତ୍ୟସତ୍ୟ ସାମ୍ନାକୁ ଆଣୁଛନ୍ତି ତାହାର ଅପେକ୍ଷା ।
You can share this post!
author