20 ରେ କମ୍ପିବ ରାଜଧାନୀ
ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି-ମୋହନ
ନବୀନ ନିବାସରେ ନୂଆ ରୋଡମ୍ୟାପ୍
ଫେଲ ମାରିବ ମୋହନଙ୍କ ଇଞ୍ଜିନ
ଆସନ୍ତା ଜୁନ 20 ତାରିଖରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ ଏକ ବର୍ଷ ପୂର୍ତ୍ତି ହେବା ଖୁସିରେ ଉତ୍ସବ ମନାଉଛି ବିଜେପି ସରକାର । ଧୁମଧାମରେ ରାଜ୍ୟବ୍ୟାପୀ ପାଳନ କରାଯାଉଛି ବିଜେପି ସରକାରର ପ୍ରଥମ ଜନ୍ମଦିନ । ସବୁଆଡେ ମୋହନ ସରକାରଙ୍କ ଭଲକାମର ଚର୍ଚ୍ଚା ହେଉଛି । ରାଜଧାନୀଠୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଆଡେ ବିକାଶ ମେଳାର ଉଦଘାଟନ କରି ନିଜ ନିଜର ରିପୋର୍ଟ କାର୍ଡ ବାଣ୍ଟୁଛନ୍ତି ବିଧାୟକ-ମନ୍ତ୍ରୀ । ବିଗତ ଏକ ବର୍ଷରେ ଡବଲ ଇଞ୍ଜିନ ସରକାରର ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡବଲ ଇଞ୍ଜିନ ସରକାରର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚିାଇବା ପାଇଁ ଖୋଦ ବିଜେପି ହାଇକମାଣ୍ଡ ଜୁନ 20 ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି । ରାଜଧାନୀରେ ମୋଦି ରୋଡ ସୋ କରିବା ସହିତ ଜନତ ମଇଦାନରେ ନିଜର ଅଭିଭାଷଣ ରଖିବେ । ଗୋଟିଏ ମଞ୍ଚରେ ଏକାଠି ବସିବେ ଦେଶ ମୁଖିଆ ଓ ରାଜ୍ୟ ମୁଖିଆ ଏବଂ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ତରଫରୁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି ।
ଆଉ ଏପଟେ ଶଙ୍ଖଭବନରୁ ନବୀନ ନିବାସ ପର୍ଯ୍ୟନ୍ତ ବସୁଛି ଘନ ଘନ ବୈଠକ । ବିଜେଡିର ଛାମୁଆ ନେତାଙ୍କୁ ନେଇ ବାରମ୍ୱାର ବୈଠକ ଡାକୁଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ନିଜର ବର୍ଷ ପୂର୍ତ୍ତି ଉତ୍ସବରେ ରାଜଧାନୀର ଗାନ୍ଧୀ ମାର୍ଗରେ ପାୱାର ସୋ କରିଥିଲେ ବିଜେଡିର ନେତା ଓ କର୍ମୀ ଆଉ ଏବେ ମୋଦି ଆସିବ ଦିନ ହୋଇପାରେ ବଡ ବିସ୍ପୋରଣ । ମୋଦି ସରକାର ବିଫଳତା ଲୋକଙ୍କୁ ଜଣାଇବା ପାଇଁ ବାହାରକୁ ବାହାରିବେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଯେଉଁଥିପାଇଁ ଶଙ୍ଖଭବନରେ ମାନସମନ୍ଥନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ଦେଖିବାକୁ ବାକି ରହିଲା ଆସନ୍ତା 20ରେ କେଉଁ ବିସ୍ପୋରଣ କରୁଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।