ବଢ଼ିଲା ଡ଼ାଲି ଦର; କିଲୋ ପିଛା ୧୦ ଟଙ୍କା

ବଢ଼ିଲା ଡ଼ାଲି ଦର; କିଲୋ ପିଛା ୧୦ ଟଙ୍କା

ଭୁବନେଶ୍ୱର:

ଭାରତରେ ମହାଙ୍ଗା ମାଡ଼ ଖାଉଟିଙ୍କ ପିଛା ଛାଡ଼ୁନି | ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ସହ ଖାଇବା ତେଲ ଆଉ ଅଟା ମୂଲ୍ୟରେ ବୃଦ୍ଧି ଲୋକଙ୍କ ଥାଳିରେ ରୁଟି ମହଙ୍ଗା କରିଦେଇଛି | ବର୍ତ୍ତମାନ ରୁଟି ସହିତ ଡ଼ାଲି ମଧ୍ୟ ମହାଙ୍ଗା ହୋଇଛି ନିକଟ ଅତୀତରେ ବଢିଥିବା ହରଡ଼ ଡ଼ାଲି ଦରରେ ପୁନର୍ବାର ବୃଦ୍ଧି ଘଟିଛି | ଗତ ମାସରେ କିଲୋ ପିଛା ହରଡ଼ ଡ଼ାଲି ମୂଲ୍ୟରେ ୧୦ଟଙ୍କା ବୃଦ୍ଧି ଘଟିଥିବା ବେଳେ ଏବେ ପୁନର୍ବାର ୧୦ଟଙ୍କା ବୃଦ୍ଧି ଘଟିଛି | କେବଳ ହରଡ଼ ଡ଼ାଲି ନୁହେଁ ମୁଗ ଡ଼ାଲି ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି | ଆହୁରି ମଧ୍ୟ ନିକଟରେ ଦେଶର ବିଭିନ୍ନ ଭାଗରେ ହୋଇଥିବା ଅଦିନିଆ ବର୍ଷ ଯୋଗୁ ଡ଼ାଲି ଫସଲ ବିଶେଷ ଭାବେ ନଷ୍ଟ ହୋଇଯାଇଛି | ଯାହାର ପ୍ରଭାବ ସ୍ୱରୂପ ଆଗାମୀ ଦିନରେ ଦେଶରେ ଡ଼ାଲି ଦର ଏହୂଏରୀ ବୃଦ୍ଧି ଘଟିପାରେ | ସାଧାରଣ ନିର୍ବାଚନ ପୂର୍ବରୁ ଡ଼ାଲି ଦରରେ ହେଉଥିବା ଏହି ବୃଦ୍ଧି କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଆହ୍ୱାନର ବିଷୟ ହୋଇପାରେ | କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଚଳିତବର୍ଷ ଜାନୁୟାରୀ ୨ରେ ରାଜଧାନୀ ନୂଆଦିଲ୍ଲୀରେ ହରଡ଼ ଡ଼ାଲି ମୂଲ୍ୟ କିଲୋଗ୍ରାମ ପିଛା ୧୧୧ ଟଙ୍କା ରହିଥିଲା, ଯାହା ଏପ୍ରିଲ ୧୮ରେ ୧୧୬.୭୭ ଟଙ୍କାକୁ ବୃଦ୍ଧି ପାଇଛି | ଆର୍ଥିକ ରାଜଧାନୀ ମୁମ୍ବାଇରେ ଜାନୁଆରୀ ୨ରେ କିଲୋଗ୍ରାମ ପିଛା ଏହା ୧୨୫ ଟଙ୍କାରେ ଉପଲବ୍ଦ ଥିଲା, ଯାହା ଏପ୍ରିଲ ୧୮ରେ କିଲୋଗ୍ରାମ ପିଛା ୧୪୧ ଟଙ୍କା ଛୁଇଁଥିଲା କେବଳ ହରଡ଼ ଡ଼ାଲି ନୁହେଁ,ମୁଗ ଡ଼ାଲି ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି | ଦିଲ୍ଲୀରେ ମୁଗ ଡ଼ାଲି ଦର ଜାନୁଆରୀ ୨ରେ ୧୦୬ ଟଙ୍କା ୫୫ ପଇସା ରହିଥିଲା, ଯାହା ବର୍ତ୍ତମାନ କିଲୋଗ୍ରାମ ପାଇଁ ୧୦୮ ଟଙ୍କା ୭୦ ପଇସାରେ ପହଞ୍ଚିଛି |

ରିପୋର୍ଟ ଅନୁଯାୟୀ,ଦେଶକୁ ପର୍ଯ୍ୟାପ୍ତ ପରିମାଣରେ ହରଡ଼ ଡ଼ାଲି ଆମଦାନୀ ହୋଇଥିବା ସତ୍ତ୍ୱେ ବଜାରକୁ ଷ୍ଟକ ଛଡାଯାଉନାହିଁ | ହରଡ଼ ଡାଲିର ବେଆଇନ ଭାବେ ମହଜୁଦ କରାଯାଉଛି | ଏଭଳି ବେଆଇନ ମହଜୁଦ ଜରିଆରେ ବଜାରରେ ହରଡ଼ ଡାଲିର କୃତିମ ଅଭାବ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି | ବେଆଇନ ମହଜୁଦ ଯୋଗୁଁ ହରଡ଼ ଡ଼ାଲି ମୂଲ୍ୟରେ ପ୍ରତି ମାସରେ ବୃଦ୍ଧି ଦେଖିବାକୁ ମିଳୁଛି | ଅପରପକ୍ଷେ ଡ଼ାଲି ମୂଲ୍ୟ ବୃଦ୍ଧି ହେବାର ଅନ୍ୟ ଏକ କାରଣ ହେଉଛି ମିଆଁମାରରୁ ଯୋଗାଣ ହ୍ରାସ | ଏହାବାଦ ଆଫ୍ରିକାରୁ ମଧ୍ୟ ଯୋଗାଣ ହ୍ରାସ ପାଇଛି | ଦେଶରେ ଡାଲିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି | ଚାହିଦା ଏବଂ ଯୋଗାଣରେ ବଡ଼ ବ୍ୟବଧାନ ଯୋଗୁ ହରଡ଼ ଏବଂ ମୁଗ ଡ଼ାଲି ମୂଲ୍ୟ ବୃଦ୍ଧି ପାଇଛି | ଏସବୁବାଦ ଦେଶରେ ଦିନକୁ ଦିନ ଡ଼ାଲି ଉତ୍ପାଦନରେ ହ୍ରାସ ଘଟୁଛି | ୨୦୨୧-୨୨ରେ ଡ଼ାଲି ଉତ୍ପାଦନ ୪୨ ଲକ୍ଷ ଟନ ରହିଥିଲା, ଯାହା ୨୦୨୨-୨୩ରେ ୩୬ ଲକ୍ଷ ଟନକୁ ଖସିଆସିଛି | ଏହାମଧ୍ୟରେ ବିଭିନ୍ନ ରାଜ୍ୟରେ ମାର୍ଚ୍ଚ ଏବଂ ଏପ୍ରିଲ ମାସ ପ୍ରାରମ୍ଭରେ ହୋଇଥିବା ଅଦିନିଆ ବର୍ଷାରେ ଡ଼ାଲି ଫସଲ ପ୍ରଚୁର ମାତ୍ରାରେ ନଷ୍ଟ ହୋଇଛି | ଏସବୁ ଦୃଷ୍ଟିରୁ ଆଗାମୀ ଦିନରେ ଦେଶରେ ଡ଼ାଲି ଡର ଆହୁରି ବଢିବା ଆଶଙ୍କା କରାଯାଉଛି | ଚଳିତବର୍ଷ ଦେଶରେ ଅନେକ ରାଜ୍ୟରେ ବିଧାନ ସଭା ନିର୍ବାଚନ ହେଉଛି ଏବଂ ଗୋଟିଏ ବର୍ଷ ପରେ ଲୋକସଭା ନିର୍ବାଚନ କରାଯାଉଛି | ନିର୍ବାଚନୀ ବର୍ଷରେ ଡ଼ାଲି ଡର ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ଏବେ ଏକ ବଡ଼ ଆହ୍ୱାନ | ଷ୍ଟକ ଯାଞ୍ଚ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି ଯେଉଁମାନେ ଷ୍ଟକ ପ୍ରକାଶ କରିନାହାନ୍ତି ସେମାନଙ୍କ ବିରୁଦ୍ଧରେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି | ୨୦୧୪ ସାଧାରଣ ନିର୍ବାଚନ ଆଗକୁ ଥିବାରୁ ସରକାର ଖାଉଟି ସାମଗ୍ରୀର ଦରଦାମ କ୍ଷେତ୍ରରେ କୌଣସି ରିକ୍ସ ନେବାକୁ ଚାହୁଁନାହାନ୍ତି | ଏଭଳି ପରିସ୍ଥିତିରେ ସରକାର କେନ୍ଦ୍ରୀୟ ଭଣ୍ଡାର ଏବଂ ନାଫେଡ଼ ମାଧ୍ୟମରେ ଡ଼ାଲି ବିକ୍ରି କରିପାରିବେ, ଯାହା ଦ୍ୱାରା ଲୋକମାନେ ଡାଲିର ଉଚ୍ଚ ଦରରୁ ମୁକ୍ତି
ପାଇପାରିବେ |

author

Related Articles

Leave a Reply

Your email address will not be published. Required fields are marked *