ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା; ୩ ଦିନରେ ଗଲାଣି ୩୦ ଜଣଙ୍କ ଜୀବନ

ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା; ୩ ଦିନରେ ଗଲାଣି ୩୦ ଜଣଙ୍କ ଜୀବନ

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ଡିସେମ୍ବର ପ୍ରଥମ ସପ୍ତାହକୁ ରାଜ୍ୟ ସରକାର ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ଭାବେ ପାଳନ କରୁଛନ୍ତି। ବ୍ୟାପକ ସଚେତନତା ସହ ରାସ୍ତାରେ ଚେକିଂ, ଆହତଙ୍କୁ ତୁରନ୍ତ ଉଦ୍ଧାର, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଆଦି ନେବାକୁ ଜିଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ହୋଇଛି। ହେଲେ ଏହି ସପ୍ତାହ ଆରମ୍ଭରୁ ଦୁର୍ଘଟଣା ବଢ଼ିବା ଚିନ୍ତା ବଢ଼ାଇଛି। ‘ଶୂନ୍ୟ ମୃତ୍ୟୁ ସପ୍ତାହ’ର ପ୍ରଥମ ୩ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ହେଁ ଦୁର୍ଘଟଣା କମାଇବାକୁ ଏହା ପର‌୍ୟ୍ୟାପ୍ତ ହେଉନାହିଁ। ଡିସେମ୍ବର ୧ ଶୁକ୍ରବାର କେନ୍ଦୁଝର ଜିଲା ବାଲିଯୋଡ଼ି ନିକଟ ଜାତୀୟ ରାଜପଥ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ବିଳମ୍ବିତ ରାତିରେ ଭୁବନେଶ୍ୱର ପାହାଳ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଶନିବାର ନୂଆପଡ଼ା ଜିଲା ଲଖନା ଥାନା ଅନ୍ତର୍ଗତ ମେଣ୍ଢାଟାଲ ଛକରେ ଡମ୍ପର ଧକ୍କାରେ ବଡ଼ବାପା ଓ ଝିଆରୀଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଦିନ ଭୁବନେଶ୍ୱର ନୟାପଲ୍ଲୀ ଡେଲ୍ଟା ଛକରେ ସ୍କୁଟି ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା। ରବିବାର ମଧ୍ୟ ପାହାଳ ଓ ଚନ୍ଦ୍ରଶେଖରପୁରରେ ଘଟିଥିବା ପୃଥକ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ଏଥିସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟି ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫଳରେ ରାଜ୍ୟ ପରିବହନ ବିଭାଗର ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

author

Related Articles

Leave a Reply

Your email address will not be published. Required fields are marked *